ତିହାରର ଜେଲର ଏକ ସ୍ବତନ୍ତ୍ର ସେଲରେ କଡା ସୁରକ୍ଷା ମଧ୍ୟରେ ରହୁଛି ୟାସିନ ମଲ୍ଲିକ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତଙ୍କବାଦୀ ୟାସିନ ମଲ୍ଲିକକୁ ଦିଲ୍ଲୀର ତିହାର ଜେଲର ଏକ ସ୍ବତନ୍ତ୍ର ସେଲରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ସୁରକ୍ଷା କାରଣରୁ ତାକୁ ଜେଲ ଭିତରେ କୌଣସି କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ଜଣାପଡ଼ିଛି।

ତାକୁ ଜେଲ ନଂ ୭ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ଓ ତାହାର ସୁରକ୍ଷାକୁ ନିୟମିତଭାବେ ସମୀକ୍ଷା କରାଯାଉଥିବାର ଜଣାଯାଇଛି । ସେ ଆତଙ୍କି ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାକୁ କୌଣସି ପାରୋଲ ବା ଫର୍ଲୋ ଦିଆଯିବ ନାହିଁ । ତାକୁ ଆଜୀବନ କାରାଦଣ୍ଡ ହେବା ପୂର୍ବରୁ ବି ସେ ଜେଲ ନଂ୭ରେ ରହୁଥିଲା ।

ଏହି ଜେଲ ନଂ୭ରେ ପୂର୍ବରୁ ଅନେକ ହାଇପ୍ରୋଫାଇଲ କଏଦୀଙ୍କୁ ରଖାଯାଇଥିଲା । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଓ ଏ.ରାଜା, ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟ, ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ମାମଲାରେ ସଂପୃକ୍ତ ଖ୍ରୀଷ୍ଟିଆନ ମାଇକେଲ ପ୍ରମୁଖ ।

ବୁଧବାରଦିନ ଦିନ ଦିଲ୍ଲୀର ଏକ କୋର୍ଟ ତାକୁ ଆତଙ୍କୀ ପାଣ୍ଠି ଯୋଗାଣ ମାମଲାରେ ଆଜୀବନ ଜେଲ ଦଣ୍ଡ ଦେଇଥିଲେ । ତେବେ ତା ନାଁରେ ଆଉ କେତେକ ସଂଗୀନ ମାମଲା ଏବେ ବି ବିଚାରାଧୀନ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଭାରତୀୟ ବାୟୁସେନା ଅଧିକାରୀଙ୍କ ହତ୍ୟାମାମଲା ।

ସମ୍ବନ୍ଧିତ ଖବର