ନୂଆଦିଲ୍ଳୀ: ଆଜି ସନ୍ଧ୍ୟାରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠକୁ ଛୁଇଁବା ପରେ ଭାରତକୁ ଏକ ବିରାଟ ସଫଳତା ମିଳିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏହି ମିସନ ଦେଶ ପାଇଁ ଇତିହାସ ରଚିବ।
ବାସ୍ତବରେ ଯଦିଓ ଆମେ ଏବେ ଚନ୍ଦ୍ରପୃଷ୍ଠକୁ ଯିବା କଥା ଭାବୁଛେ, କଳ୍ପନାରେ କିନ୍ତୁ ବହୁତ ଆଗରୁ ଯାଇସାରିଛେ। ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଲ୍ୟାଣ୍ଡର୍ କିମ୍ବା ରୋଭର ନୁହେଁ, ବରଂ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠକୁ ଯାଇଥିବାର ପ୍ରମାଣ ରହିଛି। ଆମେ କହୁଛୁ ଦାରା ସିଂହଙ୍କ ବିଷୟରେ।
ଏପରିକି ୧୯୬୭ ମସିହାରେ, ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ରଖିବାର ଦୁଇ ବର୍ଷ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ଟି.ପି ସୁନ୍ଦରାରାମ ‘ଚାନ୍ଦ ପାର୍ ଚଢ଼ାଇ’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଯେତେବେଳେ କେହି ବି ଚନ୍ଦ୍ରକୁ ଯାଇନଥିଲେ, ସେ ସମୟରୁ ନିର୍ମାତା କଳ୍ପନାରେ ଚନ୍ଦ୍ରକୁ ଯାଇ ସାରିଥିଲେ।
ଚନ୍ଦ୍ରପୃଷ୍ଠକୁ ଯାତ୍ରାକୁ ଏକ ଭାରତୀୟ ମିସନ ଭାବେ ଏହି ଚଳଚ୍ଚିତ୍ରରେ ଦେଖା ଯାଇଥିଲା। ଫିଲ୍ମରେ ଅଭିନେତା ଦାରା ସିଂ, ଅନୱର ହୁସେନ୍ ଏବଂ ପଦ୍ମା ଖାନ୍ନା ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଦାରା ସିଂ ମହାକାଶଚାରୀ ଆନନ୍ଦ ଭାବରେ ଅଭିନୟ କରିଥିଲେ, ଯିଏ ତାଙ୍କ ସହଯୋଗୀ ଭଗୁ (ଭଗବାନ୍) ଙ୍କ ସହ ଚନ୍ଦ୍ରରେ ପହଞ୍ଚିଥିଲେ।
ସେମାନେ ଚନ୍ଦ୍ରରେ ରାକ୍ଷସ, ଏଲିଏନ୍ ଏବଂ ରୋବଟ୍ ସହିତ ମୁହାଁମୁହିଁ ହୋଇଥିଲେ। ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର, ଯେଉଁଥିରେ ଚନ୍ଦ୍ରକୁ ଯାତ୍ରା ଦେଖା ଯାଇଥିଲା। ଚଳଚ୍ଚିତ୍ରଟି ଖୁବ୍ ସଫଳ ମଧ୍ୟ ହୋଇଥିଲା।
ଇଂରାଜୀରେ ମୁକ୍ତିଲାଭ କରିଥିବା ‘ଚାନ୍ଦ ପାର୍ ଚଢ଼ାଇ’ରେ କେବଳ ଚନ୍ଦ୍ରପୃଷ୍ଠରେ ନୁହେଁ, ବରଂ ଏକବିଂଶ ଶତାବ୍ଦୀର ଅନେକ ଉଦ୍ଭାବନ ବିଷୟରେ ମଧ୍ୟ ପୂର୍ବାନୁମାନ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ସିମି ଚରିତ୍ର ନିଭାଇଥିବା ପଦ୍ମା ଖାନ୍ନା ସେ ସମୟେରେ ସ୍କାଇପ୍ ଭଳି ଏକ ଭିଡିଓ କଲ୍ ଆପ୍ରେ କଥାବାର୍ତ୍ତା ହୋଇଥିବା ଦେଖାଯାଇଥିଲା। ଯାହାକି ଚାରି ଦଶନ୍ଧି ପରେ ଏବେ ଉଦ୍ଭାବନ ହୋଇପାରିଛି। ଏହି ଚଳଚ୍ଚିତ୍ରଟି ଆଧୁନିକ ଯୁଗର ପ୍ରିଣ୍ଟର୍, ସ୍କାନର୍, ଏବଂ ଡିଜିଟାଲ୍ କ୍ୟାମେରା ଆଦିକୁ ଦେଖାଇଥିଲା। ଇଣ୍ଟରନେଟ୍ ଉଦ୍ଭାବନ ହେବାର ଏକ ବର୍ଷ ପୂର୍ବରୁ ହିଁ ଇଲେକ୍ଟ୍ରୋନିକ୍ ମେଲ୍ ପ୍ରଦର୍ଶନ କରିଥିଲା। ଦୁଃଖର ବିଷୟ ହେଉଛି ବୈଜ୍ଞାନିକମାନଙ୍କ ପୂର୍ବରୁ ବି ଏପରି ଏକ ଉଚ୍ଚକୋଟୀର କଳ୍ପନା କରିଥିବା ଉକ୍ତ ସ୍ରଷ୍ଠାଙ୍କୁ ଆନୁଷ୍ଠାନିକ ଭାବେ କୌଣସି ଶ୍ରେୟ ମିଳିନଥିଲା।