ନୂଆଦିଲ୍ଲୀ: ଲୋକସଭାରେ ଆଜି ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାଷଣର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାହୁଲଙ୍କ ମଣିପୁର ଦୁଇ ଭାଗ ହୋଇଥିବା ଟିପ୍ପଣୀର ଜବାବ ଦେଇ ସ୍ମୃତି କହିଛନ୍ତି, ମଣିପୁର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମଣିପୁର ବିଭାଜିତ ହୋଇନାହିଁ କି କେବେ ବି ହେବନି। ମଣିପୁରରେ ଭାରତ ମାତାର ହତ୍ୟା କରାଯାଇଛି ବୋଲି ରାହୁଲ କହିବା ଏବଂ କଂଗ୍ରେସ ନେତାମାନେ ଏଥିରେ ତାଳି ମାରିବାକୁ ସ୍ମୃତି ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଆଜି ଗୃହରେ ଯେଉଁଭଳି ବ୍ୟବହାର ଦେଖିବାକୁ ମିଳିଛି ତାହାକୁ ମୁଁ ଦୃଢ଼ ନିନ୍ଦା କରୁଛି।

Advertisment

ଭାରତ ମାତାଙ୍କୁ ହତ୍ୟା କରାଯାଇଛି କହି ତାଳି ମାରୁଛନ୍ତି କଂଗ୍ରେସ ନେତା

ଦେଶର ଇତିହାସ‌ରେ ପ୍ରଥମ ଥର ପାଇଁ କେହି ଜଣେ ‘ଭାରତ ମା’ର ହତ୍ୟା କରାଯାଇଥିବା କହିଛନ୍ତି ଏବଂ କଂଗ୍ରେସ ଏଥିରେ ତାଳି ମାରୁଛି ଏବଂ ଟେବୁଲ ବାଡ଼େଇ ସ୍ବାଗତ କରୁଛି। ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମକୁ ମଧ୍ୟ ସ୍ମୃତି କଟାକ୍ଷ କରିଛନ୍ତି। ସ୍ମୃତି କହିଛନ୍ତି, ଆପଣ ଇଣ୍ଡିଆ ନୁହନ୍ତି। ଇଣ୍ଡିଆ ପରିବାରବାଦ ନୁହେଁ ଯୋଗ୍ୟତା ଉପରେ ବିଶ୍ବାସ ରଖେ। ଭାରତ ଏବେ ଦୁର୍ନୀତିଗ୍ରସ୍ତ ଏବଂ ପରିବାରବାଦୀଙ୍କ ପ୍ରତି ସତର୍କ ହୋଇଯାଇଛି। ‘ କରପସନ୍‌ କ୍ବିଟ୍‌ ଇଣ୍ଡିଆ, ଡାଇନାଷ୍ଟି କ୍ବିଟ୍‌ ଇଣ୍ଡିଆ’ (ଦୁର୍ନୀତି ଭାରତ ଛାଡ଼, ପରିବାରବାଦ ଭାରତ ଛାଡ଼) ଏବେ ଲୋକଙ୍କ ସ୍ଲୋଗାନ ପାଲଟିଛି। ମଣିପୁରରେ ମହିଳାଙ୍କ ହିଂସା ପ୍ରସଙ୍ଗ ଉଠାଇ ରାହୁଲ ସରକାରକୁ ଘେରିଥିବା ବେଳେ ସ୍ମୃତି ରାଜସ୍ଥାନ, ପଶ୍ଚିମବଂଗ ଏବଂ କାଶ୍ମୀରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଅଡ଼ୁଆରେ ପକାଇ ଦେଇଥିଲେ। ଯେତେବେଳେ ପଶ୍ଚିମବଂଗରେ ୬୦ ବର୍ଷର ମହିଳାଙ୍କୁ ପୁଅ ସମ୍ମୁଖରେ ଗଣଦୁଷ୍କର୍ମ କରାଯାଉଛି, ରାଜସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରି କୋଇଲା ଭାଟିରେ ଜାଳିଦିଆଯାଉଛି, କାଶ୍ମୀର ପଣ୍ଡିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଅତି ଭୟାନକ ନିର୍ଯାତନା ଦିଆଯାଉଛି ସେତେବେଳେ କଂଗ୍ରେସ ଦଳ ଓ ଗାନ୍ଧି ପରିବାର କାହିଁକି ନିରବ ରହୁଛି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି।