ଆସ୍ଥା ଭୋଟ ଜିତିଲେ ୟେଦୁରପ୍ପା, ଇସ୍ତଫା ଦେଲେ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଆଜି ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ନୂଆ ସରକାର ବାଚନିକ ଭୋଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ବିରୋଧୀ ଦଳ ପକ୍ଷରୁ ମତ ବିଭାଜନ ପାଇଁ ଦାବି କରା ନଯିବା ଫଳରେ ବାଚସ୍ପତି କେ ଆର ‌ରମେଶ କୁମାର ଆସ୍ଥା ଭୋଟରେ ନୂଆ ସରକାର ବିଜୟୀ ହୋଇଥିବା ଘୋଷଣା କରିଛନ୍ତି। ଆସ୍ଥା ଭୋଟ ଏବଂ ବିଧାନସଭାରେ ବ୍ୟୟମଞ୍ଜୁରି ବିଲ୍ ଗୃହୀତ ହେବା ପରେ ବାଚସ୍ପତି ରମେଶ କୁମାର ତାଙ୍କର ବିଦାୟୀ ଭାଷଣ ଦେଇଥିଲେ। ଏହାପରେ ସେ ଉପ ବାଚସ୍ପତି କ୍ରି‌ଷ୍ଣା ରେଡ୍ଡୀଙ୍କୁ ତାଙ୍କର ଇସ୍ତଫାପତ୍ର ହସ୍ତାନ୍ତର କରିଥିଲେ। ୧୪ ମାସ ୪ ଦିନ ସେ ବାଚସ୍ପତି ରହିଛନ୍ତି। ଏହି ସମୟ ମଧ୍ୟରେ ବିବେକ ଏବଂ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିଛନ୍ତି ବୋଲି ବାଚସ୍ପତି କହିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦାକୁ ଯତପରୋନାସ୍ତି ବଜାୟ ରଖିଛନ୍ତି ବୋଲି ସେ କହିଛନ୍ତି। ବାଚସ୍ପତି ‌ରବିବାର ୧୭ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ବିଜେପି ଆସ୍ଥା ଭୋଟରେ ସହଜରେ ବିଜୟୀ ହେବ ବୋଲି ଆଶା ରଖିଥିଲା। ବାଚସ୍ପତି ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନ ବିଧାୟକ ସଂଖ୍ୟା ୨୦୮କୁ ଖସିଆସିଛି।

ସମ୍ବନ୍ଧିତ ଖବର