ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେଲେ ୟେଦୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଆଜି ପୁଣି ଥରେ ବିଜେପି ସରକାର ଗଠନ ହୋଇଛି। ବିଜେପି ରାଜ୍ୟ ସଭାପତି ବିଏସ୍‌ ୟେଦୁରପ୍ପା ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସନ୍ଧ୍ୟା ସାଢ଼େ ୬ଟାରେ ରାଜଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟେଦୁରପ୍ପାଙ୍କୁ ରାଜ୍ୟପାଳ ବଜୁଭାଇ ବାଲା ଶପଥ ପାଠ କରାଇଛନ୍ତି। ୭ ଦିନ ଭିତରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ୟେଦୁରପ୍ପାଙ୍କୁ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି। ସଂଖ୍ୟାଗରିଷ୍ଠତା ପ୍ରମାଣ ପରେ ହିଁ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ଆସନ୍ତା ସୋମବାର ଦିନ ଆସ୍ଥା ଭୋଟ ହେବ ବୋଲି ସୂଚନା ମିଳିଛି।

ଆଜି ଅପରାହ୍ନରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଏଚ୍‌ଡି କୁମାରସ୍ବାମୀଙ୍କ ନେତୃତ୍ବରେ ରାଜ୍ୟରେ ୧୪ ମାସ ଧରି ଚାଲିଥିବା କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ପରେ ସରକାର ଗଠନ ପାଇଁ ବିଜେପି ଦାବି ଉପସ୍ଥାପନ କରିବାରେ ବିଳମ୍ବ କରିଥିଲା। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ ବୋଲି ସମ୍ଭାବନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ବିଜେପି ବିଧାୟକ ଦଳ ବୈଠକରେ ୟେଦୁରପ୍ପା ନେତା ନିର୍ବାଚିତ ହୋଇନଥିଲେ ମଧ୍ୟ ଅଚାନକ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇବା ସମସ୍ତଙ୍କୁ ଚକିତ କରିଛି।

ଗତମାସ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୭ ଜଣ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଇସ୍ତଫା ଦେବା ପରେ ରାଜ୍ୟରେ ୩ ସପ୍ତାହ ଧରି ଅସ୍ଥିରତା ଲାଗି ରହିଥିଲା। ଗତ ମଂଗଳବାର ଦିନ ଆସ୍ଥା ଭୋଟରେ ହାରିଯିବା ପରେ ସରକାରର ପତନ ଘଟିଥିଲା। ଆଜି ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ସହ ରାଜ୍ୟରେ ଜାରି ରହିଥିବା ଅଚଳାବସ୍ଥାର ଅବସାନ ଘଟିଛି। ୨୦୦୭ରେ ୟେଦୁରପ୍ପା ମାତ୍ର ୮ ଦିନ କ୍ଷମତାରେ ରହି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ପୁନର୍ବାର ୩୦ ମେ ୨୦୦୮ରୁ ୩୧ ଜୁଲାଇ ୨୦୧୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ। ଦୁର୍ନୀତି ଅଭିଯୋଗରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେ ବିଜେପି ଛାଡ଼ି ୨୦୧୨ରେ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ। ଏହାପରେ ସେ ୨୦୧୪ରେ ପୁଣି ଦଳକୁ ଫେରିଥିଲେ।

ଆଜି ୟେଦୁରପ୍ପାଙ୍କ ଶପଥ ଗ୍ରହଣକୁ ରାଜ୍ୟ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁରାଓ ଅସାମ୍ବିଧାନିକ ଏବଂ ଗଣତନ୍ତ୍ର ବିରୋଧୀ ବୋଲି କହିଥିବା ବେଳେ ଉତ୍ସବକୁ କଂଗ୍ରେସ ବର୍ଜନ କରିଥିଲା। ତେବେ କଂଗ୍ରେସର ନିର୍ଦ୍ଦେଶକୁ ଅମାନ୍ୟ କରି ନିଲମ୍ବିତ ବିଧାୟକ ରୋସନ ବେଗ୍‌ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର