ପବଜି ଖେଳିବାକୁ ଷ୍ଟେସନରେ ବୋମା ଥିବା କହି ଟ୍ରେନ ଅଟକାଇଦେଲା ୧୨ ବର୍ଷର ବାଳକ

ବାଙ୍ଗାଲୋର: ପିଲାମାନଙ୍କର ମୋବାଇଲ୍ ସହିତ ସମୟ ବିତାଇବା ଏବଂ ମୋବାଇଲରେ ଗେମ ଖେଳିବା ପ୍ରବୃତ୍ତି ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ସେମାନେ ନିଜ ଖେଳ ଜାରି ରଖିବା ପାଇଁ କିଛି ବି କରୁଛନ୍ତି | ଏଭଳି ଏକ ଘଟଣା ଏବେ ବାଙ୍ଗାଲୋରରୁ ସାମ୍ନାକୁ ଆସିଛି | ଖେଳ ଜାରି ରଖିବା ପାଇଁ ଜଣେ ୧୨ ବର୍ଷର ବାଳକ କିଭଳି ରେଳ କର୍ମଚାରୀ ଓ ପୁଲିସଙ୍କୁ ହଇରାଣ କରିଥିଲା ତାହା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୩୦ରେ ବାଙ୍ଗାଲୋରର ୟେଲାହଙ୍କା ରେଳ ଷ୍ଟେସନରେ ହେଲ୍ପଲାଇନ ନମ୍ବର ୧୩୯ କୁ ଏକ ଫୋନ୍ କଲ ଆସିଥିଲା ​​ଯେଉଁଥିରେ ରେଳ ଷ୍ଟେସନରେ ଏକ ବୋମା ଥିବାର କୁହାଯାଇଥିଲା।

ଫୋନ୍ କଲ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ଷ୍ଟେସନକୁ ଶୀଘ୍ର ଖାଲି କରି ସବୁ ସ୍ଥାନରେ ଖୋଜାଖୋଜି କରିଥିଲା ​​| କିନ୍ତୁ ବହୁ ସମୟ ଧରି ଖୋଜିବା ପରେ ବି ବୋମା ମିଳିନଥିଲା | ଏହି ପୁରା ଘଟଣାରେ ପ୍ରାୟ ୯୦ ମିନିଟ୍ ସମୟ ନଷ୍ଟ ହୋଇଥିବାବେଳେ ଯେତେବେଳେ ପୁଲିସ ଫୋନ୍ ନମ୍ବରକୁ ଯାଞ୍ଚ କରିଥିଲା, ସେତେବେଳେ ଏହି ଫୋନ କଲ୍ ନିକଟସ୍ଥ ଏକ କିରାଣି ଦୋକାନୀଙ୍କ ଫୋନ୍ ନମ୍ବରରୁ ଆସିଥିବାର ଜଣାପଡିଥିଲା |

ପୁଲିସ କହିଛି ଯେ ଦୋକାନୀ ଜଣକ ତାଙ୍କର ଫୋନ ୧୨ ବର୍ଷର ପୁଅକୁ ଦେଇଥିଲେ ଏବଂ ଏହି ଫୋନ କଲ୍ ତାଙ୍କ ପୁଅ କରିଥିଲେ | ଦୋକାନୀଙ୍କ ପୁଅ ତାଙ୍କ ସାଙ୍ଗଙ୍କ ସହ ପବଜି ଖେଳୁଥିଲେ | ତେବେ ତାଙ୍କ ସାଙ୍ଗ ୟେଲାହଙ୍କା ରେଳ ଷ୍ଟେସନରେ କାଚେଗୁଡା ଏକ୍ସପ୍ରେସ ଟ୍ରେନରେ ଯିବାର ଥିଲା । ଯଦି ଟ୍ରେନରେ ଯାତ୍ରା ଆରମ୍ଭ ହୋଇଯିବ, କାଳେ ମୋବାଇଲ ନେଟୱାର୍କ ମିଳିବ ନାହିଁ, ସେଥିପାଇଁ ସେ ଷ୍ଟେସନକୁ ମିଛ ଫୋନ କଲ କରିଥିଲେ | ୧୨ ବର୍ଷର ବାଳକ ବିରୋଧରେ ଯଦିଓ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ତଥାପି ଚେତାବନୀ ଦେଇଥିଲା |

ସମ୍ବନ୍ଧିତ ଖବର