ନୂଆଦିଲ୍ଲୀ: ଯୁଦ୍ଧ ପ୍ରବଣ ୟେମେନରେ ଆଜି ଦଳା ଚକଟା ହୋଇ ୮୫ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟେମେନ ରାଜଧାନୀ ସନାରେ ଆଜି ଏକ ସ୍କୁଲ୍ରେ ରମଜାନ ଅବସରରେ ଗରିବମାନଙ୍କୁ ନଗଦ ଅର୍ଥ ବଣ୍ଟନ ସମୟରେ ଦଳା ଚକଟା ହୋଇଛି। ଇଦୁଲ ଫିତର ଅବ୍ୟବହିତ ପୂର୍ବରୁ ଗରିବ ରାଷ୍ଟ୍ର ୟେମେନରେ ଏକ କାର୍ଯ୍ୟକ୍ରମରେ ଜଣପିଛା ୫ ହଜାର ରିୟାଲ (୮ ଡଲାର) ବଣ୍ଟା ଯାଉଥିଲା। ତେବେ କିଏ ପ୍ରଥମେ ଆର୍ଥିକ ସହାୟତା ହାତେଇବ ସେନେଇ ଲୋକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା।
ଏହି ସମୟରେ ଠେଲାପେଲା ଆରମ୍ଭ ହୋଇଥିଲା ଏବଂ ଭୀଷଣ ଦଳା ଚକଟା ହୋଇ ୮୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାୟ ୫୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କୁ ଗିରଫ କରାଯାଇଛି। ବବ୍ ଅଲ-ୟେମେନ ଜିଲ୍ଲାର ଏକ ସ୍କୁଲ୍ରେ ଏହି ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା। ସ୍କୁଲକୁ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ରାସ୍ତାରେ ଲୋକମାନେ ଠେଲାପେଲା ହେବା ଫଳରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ଏହାକୁ କେନ୍ଦ୍ରକରି ସମଗ୍ର ସହରରେ ଉତ୍ତେଜନା ପ୍ରକାଶ ପାଇଛି।