ସନା: ୟେମେନର ରାଜଧାନୀ ସନା ସ୍ଥିତ ବିମାନବନ୍ଦରରେ  ଇସ୍ରାଏଲ ଗତକାଲି ଅତର୍କିତ ବୋମାମାଡ଼ କରିଥିବା ବେଳେ ଏହି ଆକ୍ରମଣରୁ  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ ଆଧାନମ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟେଡ୍ରୋସ୍ ବିମାନବନ୍ଦରରେ ଥିବା ସମୟରେ ଇସ୍ରାଏଲର ଯୁଦ୍ଧ ବିମାନ  ସେଠାରେ ବୋମାମାଡ଼ କରିଥିଲା। ଏହି ଆକ୍ରମଣରେ ସେ ଯାତ୍ରା କରିବାକୁ ଥିବା ବିମାନର ଅନ୍ୟ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବିମାନ କର୍ମଚାରୀ ଆହତ ହୋଇଛନ୍ତି। ଟେଡ୍ରୋସ୍ ଏକ୍ସରେ ପୋଷ୍ଟ କରି ଏହି ବିମାନ ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ‘ଆମେ ବିମାନରେ ଚଢ଼ିବାର ୨ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ବୋମା ମାଡ଼ ହୋଇଥିଲା। ଆକ୍ରମଣରେ ରନ୍‌ୱେ କ୍ଷତିଗ୍ରସ୍ତ ହୋଇଛି। ମୁଁ ଅଳ୍ପକେ ବର୍ତ୍ତି ଯାଇଛି’ ବୋଲି ଟେଡ୍ରୋସ୍‌ କହିଛନ୍ତି। ମିଳିତ ଜାତିସଂଘର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଟେଡ୍ରୋସ ଏବଂ ତାଙ୍କ ଟିମ୍ ୟେମେନରେ ପହଞ୍ଚିଥିଲେ ।

Advertisment

ୟେମେନରେ ଥିବା ହୁଥି ବିଦ୍ରୋହୀଙ୍କ ଘାଟିକୁ ଟାର୍ଗେଟ କରି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍  ଜାରି ରଖିଥିବା ବେଳେ ଏଥିରୁ ବିମାନ ବନ୍ଦର ବି ବାଦ୍‌ ପଡ଼ିନାହିଁ।  ଏୟାର ଷ୍ଟ୍ରାଇକ୍ ପାଇଁ ଇସ୍ରାଏଲ ମୋଟ ୨୫ଟି ବିମାନ ବ୍ୟବହାର  କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନ୍ୟପକ୍ଷରେ ହୁତି ବିଦ୍ରୋହୀମାନେ ମଧ୍ୟ ଲଗାତାର ଇସ୍ରାଏଲକୁ ଟାର୍ଗେଟ କରୁଛନ୍ତି। ଡିସେମ୍ବର ୧୬ ତାରିଖରେ  ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ୫ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରିଥିବା ବେଳେ ଏହାର ଜବାବରେ ଇସ୍ରାଏଲ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲର ଆକ୍ରମଣ ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି।