ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ଗିରଫ, ଝିଅ ଅଟକ, ସିବିଆଇ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ‌ୟେସ୍‌ ବ୍ୟାଙ୍କକୁ ନେଇ ଉଭୟ ସରକାର ଏବଂ ଗ୍ରାହକ ଚିନ୍ତାରେ ପଡ଼ିଥିବା ବେଳେ ଏହି ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ କେଳେଙ୍କାରୀ ଧରାପଡ଼ିଛି। ବ୍ୟାଙ୍କକୁ ସଙ୍କଟରେ ପକାଇଥିବା ରାଣାଙ୍କୁ ଆଜି ଗିରଫ କରାଯାଇଥିବା ବେଳେ ତାଙ୍କ ଝିଅ ଲଣ୍ଡନ ଯାଉଥିବା ବେଳେ ବିମାନଘାଟୀରେ ଅଟକ ରଖାଯାଇଛି।

ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ମନି ଲଣ୍ଡରିଂ ମାମଲାରେ ଆଜି ସକାଳେ ରାଣାଙ୍କୁ ଗିରଫ କରାଯିବା ପରେ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି। ଏହାର କିଛି ସମୟ ପରେ ସିବିଆଇ ପକ୍ଷରୁ ରାଣାଙ୍କ ନାମରରେ‘ଅପରାଧିକ ଷଡ଼ଯନ୍ତ୍ର’ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ସିବିଆଇ ମାମଲାରେ ରାଣାଙ୍କ ବ୍ୟତୀତ ଦେବାଳିଆ ସଂସ୍ଥା ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍‌ଏଫ୍‌ଏଲ୍‌) ଓ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ କପିଲ୍‌ ୱାଧ୍‌ୱାନଙ୍କ ନାମ ମଧ୍ୟ ରହିଛି।

ଗତକାଲି ଇଡି ପକ୍ଷରୁ ରାଣା ଓ ତାଙ୍କ ଝିଅଙ୍କ ମୁମ୍ବାଇ ଓ ଦିଲ୍ଲୀରେ ଥିବା ବାସଭବନରେ ଚଢ଼ଉ କରାଯାଇଥିଲା। ଏହାପରେ ରାଣାଙ୍କୁ ଇଡିର ମୁମ୍ବାଇ ସ୍ଥିତି କାର୍ଯ୍ୟାଳୟକୁ ଅଣାଯାଇ ପ୍ରାୟ ୩୦ ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଥିଲା। ଡିଏଚ୍‌ଏଫ୍‌ଏଲ୍‌ ଓ ନିଜ ଝିଅର କଂପାନିକୁ ଦିଆଯାଇଥିବା ଋଣରେ କୌଣସି ଅସଙ୍ଗତି ନାହିଁ ବୋଲି ରାଣା କୋର୍ଟଙ୍କୁ କହିଥିଲେ। ସେ କହିଥିଲେ, ‘ମୋ ଝିଅ ମହିଳା ସଶକ୍ତୀକରଣ ପାଇଁ ଋଣ ନେଇଛି। ତା’ କଂପାନି ବହୁତ ଭଲ କାରବାର କରୁଛି। ସେମାନେ ଠିକ୍ ସମୟରେ ଋଣ ପରିଶୋଧ ମଧ୍ୟ କରୁଛନ୍ତି।’

ତେବେ ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁନୀଲ ଗୋନସାଲ୍‌ଭେସ୍‌ କହିଥିଲେ ଯେ ରାଣାଙ୍କ ନାମରେ ୪୩୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି। ତଦନ୍ତରେ ସେ ସହଯୋଗ କରୁନାହାନ୍ତି। କିନ୍ତୁ ରାଣାଙ୍କ ଆଇନଜୀବୀ ଜୈନ ଶ୍ରଫ୍ କହିଥିଲେ ଯେ ୟେସ୍‌ ବ୍ୟାଙ୍କ ସଙ୍କଟ ପାଇଁ ରାଣାଙ୍କୁ ‘ବଳିର ବୋଦା’ ଭାବେ ଚିତ୍ରଣ କଯରିବାକୁ ଉଦ୍ୟମ କରାଯାଉଛି।

ଅନ୍ୟ ଏକ ଘଟଣାକ୍ରମରେ, ଆଜି ଲଣ୍ଡନ ଯାଉଥିବା ରାଣା କପୁରଙ୍କ ଝିଅ ରୋଶ୍‌ନି କପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ୟେସ୍ ବ୍ୟାଙ୍କ ମାମଲାରେ ଜାରି କରାଯାଇଥିବା ଲୁକ୍ ଆଉଟ୍‌ ନୋଟିସ୍‌ ବଳରେ ରୋଶ୍‌ନିଙ୍କୁ ଅଟକ ରଖାଯାଇଛି। ଇଡି ତରଫରୁ ରାଣାଙ୍କ ପତ୍ନୀ ଓ ତିନି ଝିଅଙ୍କ ବୟାନ ରେକର୍ଡ କରାଯାଇଛି। ଦେବାଳିଆ ସଂସ୍ଥା ଡିଏଚ୍‌ଏଫ୍‌ଏଲ୍‌କୁ ୟେସ୍‌ ବ୍ୟାଙ୍କ ୬୦୦ କୋଟି ଟଙ୍କାର ଋଣ ଦେବା ଏବଂ ଡିଏଚ୍‌ଏଫ୍‌ଏଲ୍‌ ରାଣା କପୁରଙ୍କ ଝିଅଙ୍କ କଂପାନିକୁ ‘ଡୁଇଟ୍‌ ଅର୍ବାନ ଭେଞ୍ଚର୍ସ’ ଋଣ ଦେଇଥିବା ବିଷୟରେ ଜାଣିବା ପରେ ରାଣାଙ୍କ ଉପରେ ତଦନ୍ତ ଏଜେନ୍ସିଗୁଡ଼ିକର ସନ୍ଦେହ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଯେ ଡିଏଚ୍‌ଏଫ୍‌ଏଲ୍‌କୁ ଦିଆଯାଇଥିବା ଋଣ ବୁଡ଼ି ଯାଇଛି।

ଗତ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ୍‌ ବ୍ୟାଙ୍କ ବୋର୍ଡକୁ କବ୍‌ଜା କରାଯିବା ସହିତ ଏହାର ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଯାଇଛି। ତିରିଶ ଦିନ ପାଇଁ ୟେସ୍‌ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି। ଏହି ସମୟ ଭିତରେ ବ୍ୟାଙ୍କର ଗ୍ରାହକମାନେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ। ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓଙ୍କୁ ଦାୟିତ୍ବ ଦିଆଯାଇଛି। ଏହାର ପୁନରୁଦ୍ଧାର ଲାଗି ରିଜର୍ଭ ବ୍ୟାଙ୍କ ଯୋଜନା ଘୋଷଣା କରିଛି। ୟେସ୍‌ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କାର ନିବେଶ କରିବା ଊପରେ ଷ୍ଟେଟ୍‌ ବ୍ୟାଙ୍କ ବିଚାର କରୁଛି।

ଗତ ଛଅ ମାସ ଭିତରେ ସଙ୍କଟରେ ଫସିଥିବା ତୃତୀୟ ବ୍ୟାଙ୍କ ହେଉଛି ୟେସ୍‌ ବ୍ୟାଙ୍କ। ଏହା ପୂର୍ବରୁ ଡିଏଚ୍‌ଏଫ୍‌ଏଲ ଓ ମହାରାଷ୍ଟ୍ରର ପିଏମ୍‌ସି ବ୍ୟାଙ୍କରେ ଏଭଳି ସଙ୍କଟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର