୧୮ରେ ହଟିବ ୟେସ୍‌ ବ୍ୟାଙ୍କ ଟଙ୍କା ଉଠାଣ କଟକଣା

ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା କଟକଣା ଆସନ୍ତା ୧୮ ତାରିଖରେ ଉଠିଯିବ। ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରସ୍ତୁତ ପୁନରୁଦ୍ଧାର ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଶୁକ୍ରବାର ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଜାରି ହେବାର ୩ଟି କାର୍ଯ୍ୟଦିବସ ପରେ ଟଙ୍କା ଉଠାଣ କଟକଣା ହଟିବ। ସେହି ଅନୁସାରେ ବ୍ୟାଙ୍କ ଉପରେ ଲାଗିଥିବା ଟଙ୍କା ଉଠାଣ କଟକଣା ୧୮ ତାରିଖ ବୁଧବାର ସଂଧ୍ୟା ୬ଟାରେ ଉଠିଯିବ। ଏଥିସହିତ ବ୍ୟାଙ୍କର ନୂଆ ବୋର୍ଡ ୭ ଦିନ ମଧ୍ୟରେ ଗଠନ ହେବ।

ଗତ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ‌ୟେସ୍‌ ବ୍ୟାଙ୍କର ବୋର୍ଡକୁ ଭାଙ୍ଗିବା ସହିତ ନିଜ ଅଧୀନକୁ ନେଇଥିଲେ। ଏଥିସହିତ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କର କୌଣସି ଜମାକାରୀ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ବୋଲି କଟକଣା ଲଗାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ବିଜ୍ଞକ୍ତି ଅନୁଯାୟୀ, ୟେସ୍‌ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତି ପାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ତଥା ଡେପୁଟି ‌ଏମ୍‌ଡି ପ୍ରଶାନ୍ତ କୁମାର ବୋର୍ଡର ସିଇଓ ଭାବେ କାର୍ଯ୍ୟ କରିବେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିଏମ୍‌ଡି ସୁନୀଲ ମେହେଟ୍ଟା ୟେସ୍‌ ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରିବେ। ଏଥିସହିତ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡ଼ା ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିବେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଉ ଦୁଇ ଜଣଙ୍କୁ ନିର୍ଦ୍ଦେଶକ ଭାବେ ମନୋନୀତ କରିବାକୁ ଥିବାବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ ଜଣେ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇପାରେ। ୧୫ ପ୍ରତିଶତ ଭୋଟିଂ ଅଧିକାର ଥିବା ନିବେଶକ ଜଣେ ବୋର୍ଡ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରିବ। ନୂଆ ବୋର୍ଡ ଅନୁଭବ ନକରିଳେ ପୁନର୍ଗଠିତ ବ୍ୟାଙ୍କର ନିଯୁକ୍ତି ଢାଞ୍ଚା, କାର୍ଯ୍ୟାଳୟ ଏବଂ ଶାଖା ନେଟୱାର୍କରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ। ଯୋଜନା ଅନୁଯାୟୀ, ବ୍ୟାଙ୍କର ଆର୍ଥିକ ଦେୟରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ।

ସମ୍ବନ୍ଧିତ ଖବର