ମୁମ୍ବାଇ: ଏଇଟା ‘ଇଡି’ ସରକାର ବୋଲି ଆମକୁ ଚିଡ଼ାଇବା ପାଇଁ କୁହାଯାଉଛି। ହଁ, ଏଇଟା ଏକନାଥ-ଦେବେନ୍ଦ୍ରଙ୍କର ‘ଇଡି’ ସରକାର ବୋଲି ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବା ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି।
ଏଠାରେ ‘ଇଡି’ର ଅର୍ଥ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବୋଲି ବିଧାନସଭାରେ ବିରୋଧୀ ଦଳର ବିଧାୟକମାନେ ଚିତ୍କାର କରି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ନିଜ ନାମର ମୂଳ ଅକ୍ଷର (ଇଂରାଜୀ ବର୍ଣ୍ଣମାଳା ଅନୁସାରେ) ‘ଇ’ ଓ ‘ଡି’କୁ ମିଶାଇ ଦେବେନ୍ଦ୍ର ଫଡ଼ନବୀସ ନୂଆ ମହାରାଷ୍ଟ୍ର ସରକାରକୁ ‘ଇଡି’ ସରକାର ବୋଲି କହିଛନ୍ତି।
ବିଧାୟକ ପ୍ରତାପ ସରନାଏକ ସିନ୍ଦେ-ଫଡ଼ନବୀସ ସରକାରଙ୍କ ସପକ୍ଷରେ ଭୋଟ୍ ଦେଉଥିବା ବେଳେ ବିରୋଧୀମାନେ ‘ଇଡି’ ବୋଲି ଚିତ୍କାର କରିଥିଲେ। ପୂର୍ବରୁ ‘ଇଡି’ ‘ନ୍ୟାସ୍ନାଲ୍ ସ୍ପଟ୍ ଏକ୍ସଚେଞ୍ଚ୍ ଲିମିଟେଡ୍’ ଦୁର୍ନୀତିରେ ସରନାଏକଙ୍କର ୧୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଥିଲା।
/sambad/media/post_attachments/wp-content/uploads/2022/07/FadnabisEkanath.jpg)
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ କରାଇବା ଲାଗି ‘ବିଜେପି’ ‘ପ୍ରବର୍ତ୍ତନ ନିର୍ଦେଶାଳ’ର ଦୁରୁପଯୋଗ କରିଛି ବୋଲି ବିଭିନ୍ନ ରାଜନୈତିକ ଦଳର ନେତାମାନେ କହୁଛନ୍ତି।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ପୁଣି କହିଛନ୍ତି, ଏକନାଥ ସିନ୍ଦେଙ୍କ ମଧ୍ୟରେ ଥିବା ଜଣେ ଶିବ ସୈନିକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ରେ ବିଜେପି-ଶିବସେନା ପ୍ରାକ୍-ନିର୍ବାଚନ ମେଣ୍ଟ ଜନାଦେଶ ପାଇଥିଲା। କିନ୍ତୁ, ଜାଣିଶୁଣି ଆମଠାରୁ ସଂଖ୍ୟାଗରିଷ୍ଠତା ଛଡ଼ାଇ ନିଆଯାଇଥିଲା।
ସରକାରରୁ ‘ବିଜେପି’କୁ ବାଦ ଦେବା ପାଇଁ ଉଦ୍ଧବ ଠାକ୍ରେଙ୍କ ଶିବସେନା କଂଗ୍ରେସ ଓ ‘ଏନ୍ସିପି’ ସହିତ ରାଜିନାମା କରିଥିଲା ବୋଲି ସେ ପ୍ରକାରାନ୍ତରେ କହିଛନ୍ତି। ଯେଉଁଥିପାଇଁ ଏକନାଥ ସିନ୍ଦେ ବିଦ୍ରୋହ କଲେ ଓ ‘ମହା ବିକାଶ ଅଘାଡ଼ି’ ସରକାରର ପତନ ଘଟିଲା।
ଏକନାଥ ସିନ୍ଦେଙ୍କୁ ନେଇ ଆମେ ପୁଣି ଥରେ ଶିବସେନା ସହ ମିଶି ସରକାର ଗଢ଼ିଲୁ। ମୋ ଦଳର ନିର୍ଦେଶମତେ ମୁଁ ଉପମୁଖ୍ୟମନ୍ତ୍ରୀ ହେଲି। ଦଳ କହିଥିଲେ ମୁଁ ଘରେ ବି ବସିଥାଆନ୍ତି। ସେ ଦଳ ଦିନେ ମତେ ମୁଖ୍ୟମନ୍ତ୍ରୀ କରାଇଥିଲା। ଆଜି ମୁଁ ଆପଣମାନଙ୍କୁ କହୁଛି ଯେ, ଏ ସରକାରରେ କଦାପି କ୍ଷମତା ପାଇଁ କନ୍ଦଳ ହେବନାହିଁ। ଆମେ ପରସ୍ପରକୁ ସହଯୋଗ କରିବୁ।