ମୁଁ ଓ ସବୁ କଂଗ୍ରେସ ନେତା ଗାନ୍ଧି-ନେହେରୁ ପରିବାରର ଗୋଲାମ : ରାଜସ୍ଥାନ କଂଗ୍ରେସ ବିଧାୟକ

ଜୟପୁର : ରାଜସ୍ଥାନର କଂଗ୍ରେସ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପରାମର୍ଶଦାତା ସାନ୍ୟମ୍ ଲୋଧା ନିଜର ଏକ ବୟାନ ପାଇଁ ବିବାଦରେ ଫସିଯାଇଛନ୍ତି । ରାଜ୍ୟ ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ସେ କହିଥିଲେ ଯେ, ସେ ଓ ଅନ୍ୟ କଂଗ୍ରେସ ନେତାମାନେ ହେଉଛନ୍ତି ଗାନ୍ଧି-ନେହେରୁ ପରିବାରର ଗୋଲାମ (ଦାସ) ।

ସେ ଏପରି କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସେ କହୁଛନ୍ତି “ ହଁ.. ମୁଁ ଓ ଅନ୍ୟ କଂଗ୍ରେସ ନେତାମାନେ ଗାନ୍ଧି-ନେହେରୁ ପରିବାରର ଗୋଲାମ, ଶରୀରରେ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଆମେ ଗାନ୍ଧି-ନେହେରୁ ପରିବାର ଗୋଲାମୀ (ଦାସତ୍ବ) କରିବୁ । କାରଣ ଏହି ଦେଶକୁ ଗାନ୍ଧି-ନେହେରୁ ପରିବାର ଗଢିଛନ୍ତି ।“

ଲୋଧାଙ୍କ ଏହି ବୟାନକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିରୋଧୀ ବିଜେପି ନେତା ମାନେ ଏଥିପାଇଁ ଲୋଧାଙ୍କୁ କଟାକ୍ଷ କରି କହିଥିଲେ ଗୋଲାମୀ ପାଇଁ ତୁମମାନଙ୍କୁ ଅଭିନନ୍ଦନ ।

ସୂଚନାଯୋଗ୍ୟ ଯେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଗାନ୍ଧି ପରିବାରର ନେତୃତ୍ବକୁ ନେଇ ବିଦ୍ରୋହ ଦେଖାଦେଇଛି । ଦଳର କେତେକ ପୁରୁଖା ଓ ବରିଷ୍ଠ ନେତା କଂଗ୍ରେସ ଦଳରେ ସଂସ୍କାର ଅଣାଯିବା ସହ ଗାନ୍ଧି ପରିବାର ହାତରୁ ନେତୃତ୍ବ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । ଏହାକୁ ନେଇ କଂଗ୍ରେସରେ ଗାନ୍ଧି ପରିବାର ସପକ୍ଷବାଦୀ ଓ ବିପକ୍ଷବାଦୀ-ଦୁଇଟି ଶିବିରରେ ବିଭକ୍ତ ହୋଇଯାଇଛି ।

 

ସମ୍ବନ୍ଧିତ ଖବର