ମସ୍କୋ: ରୁଷ୍‌ର ଶକ୍ତିଶାଳୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇବା ପାଇଁ ଶୁକ୍ରବାର ଦିନ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିବା ରୁଷ୍‌ର କୁଖ୍ୟାତ ଘରୋଇ ସେନା ସଙ୍ଗଠନ ‘ୱାଗ୍‌ନର୍‌’ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ଏକଦା ଥିଲେ ସୋଭିଏତ୍‌ ଦେଶର ଜଣେ ମାମୁଲି ଅପରାଧୀ।

Advertisment

‘ୱାଗ୍‌ନର୍‌’ର ମୁଖ୍ୟ ତଥା ବିଶିଷ୍ଟ କୋଟିପତି ବ୍ୟବସାୟୀ ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ପିଲାଦିନ ଓ ଅଭିବୃଦ୍ଧି ସମ୍ପର୍କରେ ବିଶେଷ କିଛି ସୂଚନା ମିଳେନାହିଁ।  ଯେତେବେଳେ ସେଣ୍ଟ୍‌ ପିଟର୍ସବର୍ଗର ନାଁ ଥିଲା ଲେଲିନ୍‌ଗ୍ରାଦ୍‌, ସେତେବେଳେ ୧୯୬୧ରେ ପ୍ରିଗୋଝିନ୍‌ ଜନ୍ମଗ୍ରହଣ କରିଥିଲେ। ଡକାୟତି ଓ ଅନ୍ୟାନ୍ୟ ଅପରାଧ ମାମଲାରେ ସେ ୧୯୮୧ରେ ଜେଲ୍‌ ଯାଇଥିଲେ।

ସୋଭିଏତ୍‌ ଦେଶ ଭାଙ୍ଗିବା ପର୍ଯ୍ୟନ୍ତ ସେ ଜେଲ୍‌ରେ ଥିଲେ ଓ ତା’ର ୧୨ ବର୍ଷ ପରେ ଜେଲ୍‌ରେ ମୁକୁଳିଥିଲେ। ଜେଲ୍‌ରୁ ମୁକ୍ତ ହେବା ପରେ ୧୯୯୦ରେ ସେ ଆରମ୍ଭ କରିଥିଲେ ରେସ୍ତୋରାଁ ବ୍ୟବସାୟ। ନିଜ ସାମର୍ଥ୍ୟ ବଳରେ ସେତେବେ‌ଳେ ସେ ସହରର ଡେପୁଟି ମେୟର୍‌ ଥିବା ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ପରିଚିତ ହୋଇ ସୁସମ୍ପର୍କ ସ୍ଥାପନ କରିଥିଲେ।

publive-image Image Courtesy of India Today

କ୍ରମେ ତାଙ୍କ ରେସ୍ତୋରାଁ ବ୍ୟବସାୟ ‘କ୍ୟାଟରିଙ୍ଗ୍‌’ କ୍ଷେତ୍ରକୁ ଯାଇ ସ୍କୁଲ୍‌ମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ ବରାଦ ପାଇଲା। ୨୦୧୦ରେ ରାଷ୍ଟ୍ରାୟତ ବ୍ୟାଙ୍କ୍‌ରୁ ଋଣ କରାଇ ଦେଇ ପୁଟିନ୍‌ ତାଙ୍କୁ ଏହି ଶିଳ୍ପ ସ୍ଥାପନା କରାଇବାରେ ସାହାଯ୍ୟ କଲେ। କେବଳ ମସ୍କୋରେ ଥିବା ପବ୍ଳିକ୍‌ ସ୍କୁଲ୍‌ମାନଙ୍କୁ ଭୋଜନ ଯୋଗାଣ ଠିକା ନେଇ ତାଙ୍କ କମ୍ପାନି ‘କନ୍‌କର୍ଡ’‌ କୋଟି କୋଟି ଟଙ୍କା ଆୟ କଲା। କିଛି ବର୍ଷ ଧରି ସେ ‘କ୍ରେମ୍‌ଲିନ୍‌’ର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ‘କ୍ୟାଟରିଙ୍ଗ୍‌’ ଆୟୋଜନ କଲେ। ପରେ ରୁଷ୍‌ ସେନାକୁ ‘କ୍ୟାଟରିଙ୍ଗ୍‌’ ଓ ‘ୟୁଟିଲିଟି ସର୍ଭିସ୍‌’ ଯୋଗାଇଲେ।

୨୦୨୨ରେ ପ୍ରିଗୋଝିନ୍‌ ‘ୱାଗ୍‌ନର୍‌ ଗ୍ରୁପ୍‌’ର (ଘରୋଇ ସୈନ୍ୟବାହିନୀ) ସଂସ୍ଥାପକ ମାନ୍ୟତା ପାଇଲେ। ସେତେବେଳେ ଜାରି କରିଥିବା ବିବୃତିରେ ସେ କହିଥିଲେ, ମୁଁ ନିଜେ ପୁରୁଣା ଅସ୍ତ୍ରଶସ୍ତ୍ର ସବୁ ସଫା କରି ସେଥିରୁ ମୋ ନିଜ ପାଇଁ ବୁଲେଟ୍‌ ପ୍ରୁଫ୍‌ ଭେଷ୍ଟ୍‌ ଓ ମୋ ସେନାବାହିନୀରେ ସହଯୋଗ କରିବାକୁ ବିଶେଷଜ୍ଞମାନଙ୍କୁ ଖୋଜି ବାହାରକଲି।