ଯୋଗ ଅଲିମ୍ପିଆଡ୍-୨୨ ଉଦ୍‌ଘାଟିତ: ବିଦ୍ୟାଳୟରେ ଯୋଗଶିକ୍ଷା ଉପରେ ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ବ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନ୍ୟାସନାଲ ଯୋଗ ଅଲିମ୍ପିଆଡ୍-୨୨ ଓ କ୍ବିଜ୍ ପ୍ରତିଯୋଗିତା ଉଦ୍‌ଘାଟନ କରିବା ଅବସରରେ ଉଦ୍‌ବୋଧନ ଦେଇ ବିଦ୍ୟାଳୟରେ ଯୋଗଶିକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ମଧ୍ୟ ଉପସ୍ଥିତ ଥିଲେ। ଶିକ୍ଷା ମନ୍ତ୍ରଣାଳୟ ଏବଂ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ପକ୍ଷରୁ ମଳିତଭାବେ ଜୁନ୍ ୧୮ରୁ ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୦୦ ଛାତ୍ର ଏହି ଜାତୀୟ ଯୋଗ ଅଲିମ୍ପିଆଡ୍‌ରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ବିଶେଷତଃ କୋଭିଡ୍-ପର ସମୟରେ ପୂର୍ବ ସ୍ବାସ୍ଥ୍ୟ ପୁଣି ଫେରି ପାଇବା ଲାଗି ଯୋଗ ବିଶେଷ ଭାବେ ସାହାଯ୍ୟ କରିଛି। ଲୋକମାନଙ୍କୁ ପରସ୍ପର ସହ ଯୋଡ଼ିବା ଲାଗି ଯଥାର୍ଥ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ଯୋଗ ଦିବସର ଥିମ୍ ‘ୟୋଗ ଫର୍ ହ୍ୟୁମ୍ୟାନିଟି’ (ମାନବତା ପାଇଁ ଯୋଗ) ରଖିଛନ୍ତି। ଯୋଗ ହେଉଛି ବିଶ୍ବ ମାନବସମାଜକୁ ଭାରତର ଅବଦାନ। ୨୧ ଜୁନ୍‌କୁ ବିଶ୍ବ ଯୋଗ ଦିବସ ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିବା ପରେ ବିଶ୍ବବ୍ୟାପୀ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି। ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିବା ସହ ଯୋଗ ସାରା ବିଶ୍ବକୁ ଯୋଡ଼ୁଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏନ୍‌ଇପି ୨୦୨୦ ଉଭୟ ଛାତ୍ର ଓ ଶିକ୍ଷକଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଗୁରୁତ୍ବ ପ୍ରଦାନ କରୁଛି। କ୍ରୀଡ଼ା-ସମନ୍ବିତ ଶିକ୍ଷା ପିଲାମାନଙ୍କଠାରେ ଖେଳୁଆଡ଼ ମନୋବୃତ୍ତି ଜାଗ୍ରତ କରିବା ସହ ସେମାନଙ୍କୁ ଫିଟ୍ ରଖିଥାଏ। ବିଦ୍ୟାଳୟ ଶିକ୍ଷାରେ ଯୋଗକୁ ମଧ୍ୟ ସାମିଲ କଲେ ତାହା ପିଲାମାନଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବୃଦ୍ଧିରେ ସାହାଯ୍ୟ କରିବ। ତେଣୁ ପ୍ରାରମ୍ଭିକଠାରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର