ରାଷ୍ଟ୍ରୀୟ ଶିକ୍ଷାନୀତିରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିବ: ଧର୍ମେନ୍ଦ୍ର

କାଙ୍ଗଡା ଫୋର୍ଟ: ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂଆ ଊର୍ଜା ଦେଇଥାଏ। କରୋନା ସମୟରେ ବିଶ୍ୱ ସମୁଦାୟ ପାଇଁ ଯୋଗ ହିଁ ପ୍ରତିଷେଧକ ସଦୃଶ କାମ ଦେଇଥିଲା। ସାମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ବ ଅଧିକ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟଠାରେ ଆୟୋଜିତ ‘ଯୋଗାଭ୍ୟାସ କାର୍ଯ୍ୟକ୍ରମ’ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଜୀବନରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ। ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ବ୍ୟବସ୍ଥିତ ଭାବରେ ଆପଣାଇଛି। ଆଜି ସୂର୍ଯ୍ୟ ଉଦୟ ହୋଇଥିବା ପ୍ରଥମ ସ୍ଥାନଠାରୁ ସୂର୍ଯ୍ୟ ଅସ୍ତ ହେଉଥିବା ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ ଯୋଗ ଦିବସ ପାଳନ କରାଯାଉଛି। ଆମେ ‘ସମସ୍ତେ ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଭାରତର ପ୍ରାଚୀନ ସଭ୍ୟତାର ବୈଭବକୁ ଦୁନିଆ ସାମ୍ନାକୁ ଆଣିବା ପାଇଁ ହିମାଚଳ ପ୍ରଦେଶର ଅଧିବାସୀ ସମେତ ଦେଶବାସୀ ଏକାଠି ହୋଇଛନ୍ତି। ବିଶ୍ୱର ଏହି ଯୋଗ ଶୃଙ୍ଖଳରେ କାଙ୍ଗଡ଼ା ଫୋର୍ଟ ବି ସାମିଲ ହୋଇଛି।

ହିମାଚଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯୋଗକୁ ନିଜ ପାଠ୍ୟକ୍ରମରେ ସାମିଲ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି। ଏହା ସେତେବେଳେ ପ୍ରମାଣିତ ହେବ, ଯେତେବେଳେ ଯୋଗ ବିଷୟରେ ଛାତ୍ରଛାତ୍ରୀମାନେ ପିଲା ବେଳୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଚର୍ଚ୍ଚା, ଅଧ୍ୟୟନ ସହ ଗବେଷଣା କରିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ (ଏନ୍‌ଇପି) ପ୍ରଣୟନ କରାଯାଇଛି। ଯୋଗ ଏନ୍‌ଇପିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏନ୍‌ଇପି ଅନୁସାରେ ବାଳବାଟିକାଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯୋଗକୁ ପାଠ୍ୟକ୍ରମର ଏକ ଅଂଶ କରାଯିବ। କ୍ରେଡିଟ୍ ଫ୍ରେମ୍‌ଓ୍ୱାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ଯୋଗଶିକ୍ଷାକୁ ନେଇ ମୂଲ୍ୟାଙ୍କନ କରାଯିବ, ଯାହା ପିଲାଙ୍କ ପାଇଁ ଭବିଷ୍ୟତରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର