ନୂଆଦିଲ୍ଲୀ: ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଯେଉଁ ଡାକ୍ତରଙ୍କୁ ଚିକିତ୍ସା ପାଇଁ ୧.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ତାଙ୍କର ଫୁସଫୁସ ପ୍ରତିରୋପଣ ହେବାକୁ ଯାଉଛି। ଏଥିପାଇଁ ତାଙ୍କୁ ଚେନ୍ନାଇ ନିଆଯାଇପାରେ।
ଲକ୍ଷ୍ମୌର ଲୋହିୟା ଇନଷ୍ଟିଚ୍ୟୁଟର ଡାକ୍ତର ଶାରଦା ସୁମନ କୋଭିଡ ଡିୟୁଟି ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଯାଇଥିଲା। କରୋନା ସଂକ୍ରମଣ ହେତୁ ତାଙ୍କର ମଇ ୧ରେ ପ୍ରି-ମେଚୋର ଡେଲିଭରି ବି କରିବାକୁ ପଡ଼ିଥିଲା। ସୌଭାଗ୍ୟବଶତଃ ଶିଶୁ ସୁସ୍ଥ ଅଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଲୋହିୟା ଇନଷ୍ଟିଚ୍ୟୁଟର ଡାକ୍ତର ସାରଦା ସୁମନଙ୍କୁ ଏୟାରଲିଫ୍ଟ କରିବାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫୁସଫୁସ ପ୍ରତିରୋପଣ ପାଇଁ ତାଙ୍କୁ ଚେନ୍ନାଇ କିମ୍ବା ହାଇଦ୍ରାବାଦ ନିଆଯାଇପାରେ। ଏନେଇ ଆଲୋଚନା ଜାରି ରହିଛି। ଲୋହିୟା ଇନଷ୍ଟିଚ୍ୟୁଟର ନିର୍ଦେଶକ ଡାକ୍ତରଙ୍କ ଚିକିତ୍ସା ପାଇଁ ଯୋଗୀ ମୋଟା ଅଙ୍କର ରାଶି ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏୟାର ଆମ୍ବୁଲାନ୍ସରେ ତାଙ୍କୁ ପଠେଇବା ପାଇଁ ଗ୍ରୀନ କାରିଡରର ବି ବ୍ୟବସ୍ଥା କରାଯାଉଛି।