ବିଜେପି ଶାସିତ ରାଜ୍ୟମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଯୋଗୀ ଆଦିତ୍ୟନାଥ!

ନୂଆଦିଲ୍ଲୀ: ଯୋଗୀଙ୍କ ଯୋଜନା ଆପଣାଇବାକୁ ଆଗଭର ବିଜେପି ଶାସିତ ରାଜ୍ୟ | ଏକଥା ଆମେ କହୁନାହୁଁ ବରଂ କିଛି ଏଭଳି ଯୋଜନା ରାଜ୍ୟମାନଙ୍କରେ ଆପଣାଯାଉଛି ଯାହାର ପଛରେ ଯୋଗୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି | ଲଭଜିହାଦ, ଗୋସୁରକ୍ଷା ଓ ପ୍ରଦର୍ଶନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଭଳି ପ୍ରସଙ୍ଗ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆପଣାଉଥିବାର ଦେଖିବାକୁ ମିଳିଛି |

ଯୋଗୀଙ୍କର ଧର୍ମାନ୍ତୀକରଣ ବିରୋଧୀ ଆଇନ
ଯୋଗୀ ଆଦିତ୍ୟନାଥ ସରକାର ୨୦୨୦ ମସିହାରେ ଧର୍ମାନ୍ତୀକରଣ ବିରୋଧରେ ଏକ ଅଧ୍ୟାଦେଶ ଆଣିଥିଲେ | ଲଭ ଜିହାଦ ଆଇନ ନାମରେ ପରିଚିତ ଏହି ଅଧ୍ୟାଦେଶକୁ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଅଣାଯାଇଥିବାବେଳେ ବିଜେପି ଶାସିତ ରାଜ୍ୟ ହରିୟାଣା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟ ମଧ୍ୟ ଖୁବ ଶୀଘ୍ର ଆଣିବାକୁ ଯାଉଛନ୍ତି |

ଗୋହତ୍ୟା ବିରୋଧୀ ଆଇନ
ଯୋଗୀ ସରକାର ଉତ୍ତରପ୍ରଦେଶରେ ଗୋ ହତ୍ୟାକୁ ରୋକିବା ପାଇଁ ଗୋହତ୍ୟା ବିରୋଧୀ ଆଇନ ପ୍ରଚଳିତ କରିଥିଲେ | ଏହି ଆଇନ ଅନୁଯାୟୀ ଗୋହତ୍ୟା କଲେ ୩ରୁ ୧୦ ବର୍ଷର ଜେଲ ଦଣ୍ଡ ସହ ଗାଈଙ୍କୁ କ୍ଷତି ପହଂଚାଇଲେ ୨ ବର୍ଷର ଜେଲଦଣ୍ଡ ପ୍ରାବଧାନ ରହିଛି | ଉତ୍ତରପ୍ରଦେଶ ଭଳି କର୍ଣ୍ଣାଟକ ଓ ହରିୟାଣା ମଧ୍ୟ ଏଭଳି ଆଇନ ରାଜ୍ୟରେ ଜାରି କରିଛନ୍ତି |

ପ୍ରଦର୍ଶନକାରୀଙ୍କଠାରୁ ଜରିମାନା ଆଦାୟ
ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରିଥିବା ପ୍ରଦର୍ଶନକାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ଯୋଗୀ ସରକାର ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ | ବିରୋଧ ପ୍ରଦଶରଣ କରୁଥିବା ପ୍ରଦର୍ଶନକାରୀଙ୍କଠାରୁ ଜରିମାନା ଆଦାୟ ସହ ସେମାନଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଥିଲେ | ଏହା ପରେ ଗୁଜୁରାଟ ସରକାର ଓ ମଧ୍ୟପ୍ରଦେଶ ସରକାର ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରିଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ ଜରିମାନା ଆଦାୟ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ |
ନାମ ପରିବର୍ତ୍ତନ
ଉତ୍ତରପ୍ରଦେଶରେ ଯେତେବେଳେ ଆହ୍ଲାବାଦର ନାମ ବଦଳାଯାଇ ପ୍ରୟାଗରାଜ ଓ ଫୈଜାବାଦର ନାମ ବଦଳାଯାଇ ଅଯୋଧ୍ୟା କରାଯାଇଥିଲା ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା | ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଯେଭଳି କିଛି ସହରର ନାମ ବଦଳାଇଥିଲେ ସେଭଳି ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜ୍ୟର କିଛି ସ୍ଥାନର ନାମ ବଦଳାଇବାକୁ ବିଚାର କରୁଛନ୍ତି | ମଧ୍ୟପ୍ରଦେଶର ଇନ୍ଦୋର ଓ ହୋସଙ୍ଗବାଦର ନାମ ପରିବର୍ତ୍ତନ ପାଇଁ ସରକାର ବିଚାର କରୁଥିବା ଜଣାପଡିଛି | ଏସବୁ ଘଟଣାକୁ ଦେଖିଲେ ଯୋଗୀଙ୍କ ରାସ୍ତାରେ ବିଜେପି ଶାସିତ ରାଜ୍ୟମାନେ ଚାଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧିତ ଖବର