ନୂଆଦିଲ୍ଲୀ: ବିରୋଧୀ ହୋଇ ବି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କଲେ ସମାଜବାଦୀ ପାର୍ଟି ବିଧାୟିକା ପୂଜା ପାଲ୍। ତାଙ୍କ ସ୍ୱାମୀ ରାଜୁ ପାଲଙ୍କୁ ୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଗୁଳି କରି ହତ୍ୟା କରିଥିଲେ। ନ୍ୟାୟ ପାଇଁ ସେ ଅନେକ ସଂଘର୍ଷ କରିବା ପରେ ଶେଷରେ ୨୦୨୩ରେ ଅତିକ୍ର ଅନ୍ତ ସହିତ ତାଙ୍କ ସଂଘର୍ଷର ସମାପ୍ତି ଘଟିଥିଲା। ଗୁରୁବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ୟ କେହି ନଶୁଣିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ଅପରାଧୀମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସହିତ ରାଜ୍ୟକୁ ଅପରାଧ ମୁକ୍ତ କରୁଥିବାରୁ ସେ ତାଙ୍କର ପ୍ରଶଂସା କରିଥିଲେ।
'ଭିଜନ୍ ଡକ୍ୟୁମେଣ୍ଟ୍ ୨୦୪୭' ଉପରେ ୨୪ ଘଣ୍ଟା ଧରି ଚାଲିଥିବା ମାରାଥନ୍ ଆଲୋଚନାରେ ଉତ୍ତରପ୍ରଦେଶ ବିଧାନସଭାରେ ଭାଷଣ ଦେଇ ପୂଜା କହିଥିଲେ "ସମସ୍ତେ ଜାଣନ୍ତି ଯେ, ମୋ ସ୍ୱାମୀ (ରାଜୁ ପାଲ)ଙ୍କୁ କିଏ ହତ୍ୟା କରିଥିଲା। କିନ୍ତୁ କେହି ନ୍ୟାୟ ଦେଇନଥିଲେ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ, ମୋତେ ନ୍ୟାୟ ପ୍ରଦାନ କରିଛନ୍ତି। ଯେତେବେଳେ ଅନ୍ୟ କେହି ସାହାଯ୍ୟ ନକରିଥିଲେ ସେତେବେଳେ ସେ ମୋ କଥା ଶୁଣିଥିଲେ। ଯେତେବେଳେ ମୁଁ ଦେଖିଲି ଯେ, ଆତିକ୍ ଅହମ୍ମଦଙ୍କ ଭଳି ଅପରାଧୀଙ୍କ ବିରୋଧରେ କେହି ଲଢ଼ିବାକୁ ଚାହୁଁ ନାହାଁନ୍ତି, ସେତେବେଳେ ମୁଁ ମୋର ସ୍ୱର ଉଠାଇଥିଲି। ହେଲେ ଲଢ଼ି ଲଢ଼ି ଯେତେବେଳେ ମୁଁ କ୍ଳାନ୍ତ ଅନୁଭବ କରିବାକୁ ଲାଗିଲି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋତେ ନ୍ୟାୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ମୋ ପରି ଅନେକ ମହିଳାଙ୍କୁ ନ୍ୟାୟ ଦେଇଛନ୍ତି। ଶୂନ୍ୟ ସହନଶୀଳତା ଭଳି ନୀତି ଆଣି ଅତିକ୍ ଅହମ୍ମଦଙ୍କ ପରି ଅପରାଧୀଙ୍କ ଉଚିତ୍ ଦଣ୍ଡ ଦେଇଛନ୍ତି ସେ। ଆଜି, ସମଗ୍ର ରାଜ୍ୟବାସୀଙ୍କର ତାଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି।"
ପୂଜା ପାଲଙ୍କୁ ବିବାହ କରିବାର କିଛି ଦିନ ପରେ ବହୁଜନ ସମାଜ ପାର୍ଟି (ବିଏସପି) ପୂର୍ବତନ ବିଧାୟକ ରାଜୁ ପାଲଙ୍କୁ ଜାନୁଆରି ୨୫, ୨୦୦୫ରେ ଗୁଳି କରି ହତ୍ୟା କରାଯାଇଥିଲା। ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଭାଇ ଅଶରଫକୁ ନିର୍ବାଚନରେ ହରାଇଥିଲେ ରାଜୁ। ଏଥିରେ ରାଗିଯାଇ ଦୁଇ ଭାଇ ତାଙ୍କୁ ହତ୍ୟା କରିଥିବା କହିଥିଲା ପୁଲିସ। ଏହି ମାମଲା କୋର୍ଟରେ ଥିବା ବେଳେ ଫେବ୍ରୁଆରି ୨୦୨୩ରେ ହତ୍ୟା ମାମଲାର ଜଣେ ପ୍ରମୁଖ ସାକ୍ଷୀ ଉମେଶ ପାଲଙ୍କୁ ପ୍ରୟାଗରାଜର ସୁଲେମ ସରାଇ ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା।
ଏହି ଘଟଣାକୁ ନେଇ ଅତିକ୍ ଓ ଅଶରଫ୍କୁ ଗିରଫ କରାଯାଇଥିବା ବେଳେ କିଛି ଦିନ ପରେ ତାଙ୍କୁ ଗଣମାଧ୍ୟମର କ୍ୟାମେରା ଆଗରେ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/14/new-project-2-2025-08-14-13-14-37.jpg)