ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଲାଞ୍ଚ ନେଇଥିବା ଜଣେ ଡିଏସପିଙ୍କୁ ସବ୍ ଇନ୍ସପେକ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଲାଞ୍ଚ ନେବା ଅଭିଯୋଗରେ ରାମପୁର ନଗରର ଡିଏସପି ବିଦ୍ୟା କିଶୋର ଶର୍ମାଙ୍କୁ ମୂଳ ପଦକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ରାମପୁର ଜିଲ୍ଲାରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ୫ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାରୁ ବିଦ୍ୟା କିଶୋର ଶର୍ମାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
#UPCM@myogiadityanath जी ने अनुशासनहीनता के आरोपी तत्कालीन क्षेत्राधिकारी/उपाधीक्षक, जनपद रामपुर को मूल पद पर प्रत्यावर्तित करने का निर्णय लिया है। @UPGovt@spgoyal@sanjaychapps1pic.twitter.com/0jLcwsyBmz
— CM Office, GoUP (@CMOfficeUP) November 1, 2022
ସୂଚନା ମୁତାବକ, ୨୦୨୧ ମସିହାରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ସବ୍-ଇନ୍ସପେକ୍ଟର ରାମବୀର ଯାଦବ ଏବଂ ହସ୍ପିଟାଲର ମ୍ୟାନେଜର ବିନୋଦ ଯାଦବଙ୍କ ସମେତ ଦୁଇ ଜଣ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ଲାଞ୍ଚ ନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ମହିଳାଙ୍କ ଏଭଳି ଅଭିଯୋଗ ପରେ ପରେ ସୋସିଆଲ ମିଡିଆରେ ଡିଏସପି ବିଦ୍ୟା କିଶୋର ଶର୍ମା ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଗ୍ରହଣ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ରାମପୁରର ଡିଏସପି ଥିବା ବିଦ୍ୟା କିଶୋର ଗଣଦୁଷ୍କର୍ମ ମାମଲାରେ ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହେବାରୁ ତାଙ୍କୁ ନିଲମ୍ବିତ କରାଯାଇ ସରକାରୀ ସ୍ତରରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏବେ ସେ ଦୋଷୀ ବୋଲି ପ୍ରମାଣ ହେବା ପରେ ମୁଖ୍ୟମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଡିଏସପିରୁ ଏସଆଇ କରିଛନ୍ତି।