ଲକ୍ଷ୍ନୌ: ୟୁପିରେ ବିଶାଳ ବିଜୟ ପରେ, ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସେ ହୋଲି ପରେ ମାର୍ଚ୍ଚ ୨୧ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଶପଥ ସମାରୋହକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ କ୍ରିକେଟ୍ ଷ୍ଟାଡିୟମରେ ଏହି ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Advertisment

କୁହାଯାଉଛି ଯେ ଏହି ଶପଥ ଗ୍ରହଣ ସମାରୋହରେ ୪୫ ହଜାର ଲୋକ ଯୋଗ ଦେବେ। ଏନେଇ ୨୦୦ରୁ ଅଧିକ ଭିଭିଆଇପିଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି। କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ବିଏସପି ନେତ୍ରୀ ମାୟାବତୀଙ୍କ ସମେତ ବିରୋଧୀ ଦଳର ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯିବ ‌ବୋଲି ଜଣାପଡ଼ିଛି। ଏସବୁ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ସରକାରଙ୍କ ନୀତିରେ ଉପକୃତ ହୋଇଥିବା ରାଜ୍ୟର ବିଭିନ୍ନ ସ୍ଥାନରୁ ହିତାଧିକାରୀ ମଧ୍ୟ ସାମିଲ ହେବେ।