ଯୋଗୀ ଆଦିତ୍ୟନାଥ ହିଁ ହେବେ ଉତ୍ତରପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା: ଅରୁଣ ସିଂ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସନ୍ଦେହ ଲାଗି ରହିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ବିଜେପି ଉପସ୍ଥାପିତ କରିବ ନା ନୂଆ ମୁହଁଙ୍କୁ ସୁଯୋଗ ମିଳିବ ତାହାକୁ ନେଇ ସମସ୍ତଙ୍କର ନଜର ଥିବାବେଳେ ଆଜି ଏଥିରେ ବିରାମ ଲାଗିଛି | ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ନିଶ୍ଚିତ କରିଛି ଯେ ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିଁ ବିଜେପିର ଚେହେରା ହେବେ |

ବିଜେପି ସାଧାରଣ ସମ୍ପାଦକ ତଥା ଦଳର ରାଜସ୍ଥାନ ଦାୟିତ୍ୱରେ ଥିବା ଅରୁଣ ସିଂ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ହିଁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ | ଅରୁଣ ସିଂ କହିଛନ୍ତି ଯେ ଯୋଗୀ ଦଳ ତାଙ୍କ ପ୍ରାର୍ଥୀତ୍ୱକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଅରୁଣ ସିଂ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଖୁବ ଭଲ କାମ କରୁଛନ୍ତି, ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ହଟାଇ ଦିଆଯିବ।

ଏଥିସହ ଅରୁଣ ସିଂ କହିଛନ୍ତି ଯେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରାଯିବ ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବ | ବିଜେପିର ରାଜ୍ୟ ସଂଗଠନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୋଷ୍ଠୀ ମଧ୍ୟରେ ଚାଲିଥିବା କଳହ ମଧ୍ୟରେ ଅରୁଣ ସିଂ କହିଛନ୍ତି ଯେ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ହିଁ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିବ।

ସମ୍ବନ୍ଧିତ ଖବର