ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ପ୍ରୟାଗରାଜରୁ ଲକ୍ଷ୍ନୌକୁ ଦୌଡ଼ି ଦୌଡ଼ି ଆସି‌ଲେ ୧୦ ବର୍ଷୀୟ ବାଳିକା

ନୂଆଦିଲ୍ଲୀ: ପ୍ରୟାଗରାଜରୁ ଦୌଡ଼ି ଦୌଡ଼ି ଆସି ଲକ୍ଷ୍ନୌରେ ପହଞ୍ଚିଥିବା ଜଣେ ୧୦ ବର୍ଷୀୟ ବାଳିକା କାଜଲ୍‌ଙ୍କୁ ଶନିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭେଟି ତା’ର ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ଆଶୀର୍ବାଦ କରିଛନ୍ତି। ଉକ୍ତ ବାଳିକା କ୍ରୀଡ଼ାବିତ୍‌ ହେଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କର ଜଣେ ପ୍ରଶଂସିକା।

ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଅବସରରେ, ଆଦିତ୍ୟନାଥ ତାଙ୍କୁ ସମ୍ମାନିତ କରିବା ସହିତ କ୍ରୀଡ଼ା ‌‌କ୍ଷେତ୍ରରେ ସୁନାମ ହାସଲ କରିବା ପାଇଁ ଉତ୍ସାହିତ କରିଛନ୍ତି। ୨୦୦ କିଲୋମିଟର୍‌ ବାଟ ଦୌଡ଼ି ଦୌଡ଼ି ଆସିଥିବା କାଜଲ୍‌ଙ୍କ ଘର ହେଉଛି ପ୍ରୟାଗରାଜର ମନ୍ଦା ଥାନା ଅନ୍ତର୍ଗତ ଅଞ୍ଚଳରେ ଏବଂ ସେ ୪ର୍ଥ ଶ୍ରେଣୀରେ ପଢ଼ନ୍ତି।

Image Courtesy of Zee News

ସରକାରୀ ବାସଭବନରେ କାଜଲ୍‌ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହଳେ ଜୋତା, ଟ୍ରାକ୍‌ସୁଟ୍‌ ଏବଂ ସ୍ପୋର୍ଟସ୍‌ କିଟ୍‌ ଉପହାର ଦେଇଥିଲେ। ବଡ଼ ହୋଇ ଆନ୍ତର୍ଜାତିକ କ୍ରୀଡ଼ାରେ ସେ ଭାରତର ପ୍ରତିନିଧିତ୍ବ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଉତ୍ସାହ ଦେଇ କହିଛନ୍ତି।

ଏପ୍ରିଲ୍‌ ୧୦ ତାରିଖ ଦିନ ପ୍ରୟାଗରାଜ ସିଭିଲ୍‌ ଲାଇନ୍‌ସ୍‌ରୁ ଲକ୍ଷ୍ନୌ ଅଭିମୁଖେ ଦୌଡ଼ ଆରମ୍ଭ କରିଥିବା କାଜଲ ଏପ୍ରିଲ୍‌ ୧୫ ତାରିଖରେ ଦୌଡ଼ ଶେଷ କରିଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି। କାଜଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ‘ଇନ୍ଦିରା ମାରାଥନ୍‌’ରେ ମଧ୍ୟ ଭାଗ ନେଇଥିଲେ।

ଲକ୍ଷ୍ନୌସ୍ଥିତ ବାବୁ ବନାରସୀ ଦାସ ସ୍ପୋର୍ଟସ୍‌ ଏକାଡେମି ମଧ୍ୟ କାଜଲ୍‌ଙ୍କ ପ୍ରତିଭାକୁ ସମ୍ମାନ ଜଣାଇବା ସହ ସାରା ଜୀବନ ତାଙ୍କୁ ସ୍ପୋର୍ଟସ୍‌ କିଟ୍‌ ଏବଂ ଜୋତା ଯୋଗାଇ ଦେବାର ଦାୟିତ୍ବ ନେଇଛନ୍ତି।

ସମ୍ବନ୍ଧିତ ଖବର