ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ହେଲା ‘ଗେରୁଆମୟ’

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ଗୋରୁଆମୟ ହୋଇଛି। ମଙ୍ଗଳବାର ଲକ୍ଷ୍ମୌସ୍ଥିତ ଯୋଗୀଙ୍କ କାର୍ଯ୍ୟାଳୟର ବାହାର କାନ୍ଥକୁ ଠାରୁ ଆରମ୍ଭ କରି ଛାତ ପର୍ଯ୍ୟନ୍ତ ଗେରୁଆ ରଙ୍ଗରେ ରଙ୍ଗା ଯାଇଛି। ଅଫିସ ଭିତରେ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କୋଠରି ଭିତରେ ପଡ଼ିଥିବା ତଉଲିଆ, ମେଜପୋସ ଓ ସୋଫା ଆଦିର ରଙ୍ଗ ଗୋରୁଆ କରାଯାଇଛି।

ସୂଚନାଯୋଗ୍ୟ,  ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟ ( ଲାଲ ବାହାଦୁର ଶାସ୍ତ୍ରୀ ଭବନ)  ପୂର୍ବରୁ ଧଳା ଓ ନୀଳ ରଙ୍ଗରେ ନଜର ଆସୁଥିଲା। ଯୋଗୀଙ୍କ ଶାସନ କାଳରେ ଏହି ଭବନର ରଙ୍ଗକୁ ଗୋରୁଆ ହୋଇଛି । ଭବନର ସାମ୍ନାଦ୍ୱାରକୁ ମଧ୍ୟ ଗୋରୁଆ ରଙ୍ଗ ଦିଆଯାଇଛି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଏହି ଭବନର ପଞ୍ଚମ ମହଲାରେ ବସିଥାଆନ୍ତି। ତାଙ୍କ କୋଠରିର ଚୌକିରେ ପଡ଼ିଥିବା ତାଉଲିଆ ମଧ୍ୟ ଗୋରୁଆ ରଙ୍ଗର ପକାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଅଫିସ ବି ଏହି ଭବନ ମଧ୍ୟରେ ରହିଛି। ଏହି ଭବନକୁ ରଙ୍ଗ କରିବାର ନିଷ୍ପତ୍ତି ରାଜ୍ୟ ବିତ୍ତ ବିଭାଗ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରାଜ୍ୟ ବିତ୍ତ ଅଧିକାରୀ ଯୋଗେଶ ଶୁକ୍ଳା କହିଛନ୍ତି, ଆମର ଦୃଷ୍ଟିରେ ଅନେକ ରଙ୍ଗ ଥିଲା, କିନ୍ତୁ ଗୋରୁଆ ରଙ୍ଗକୁ ହିଁ ଆମେ ବାଛିଥିଲୁ।

ଏହି ରଙ୍ଗ କରାଯିବା ଘଟଣାକୁ ନେଇ କଂଗ୍ରେସ ପ୍ରବକ୍ତା ଅମରନାଥ ଅଗ୍ରଓ୍ଵାଲ କହିଛନ୍ତି, କୌଣସି ରଙ୍ଗ ଖରାପ ନୁହେଁ, କିନ୍ତୁ ଶାସନ ଆସନକୁ ଗୋରୁଆ ରଙ୍ଗରେ ରଙ୍ଗିନ କରିବା ପରିହାସ ଭଳି ଲାଗୁଛି।

ଅନ୍ୟପକ୍ଷରେ ଶିକ୍ଷା ବିଭାଗ ସରକାରୀ ପ୍ରାଥମିକ ସ୍କୁଲ ପିଲାଙ୍କୁ ଗୋରୁଆ ରଙ୍ଗର ବ୍ୟାଗ ବିତରଣ କରିଛନ୍ତି। ଏହାପୂର୍ବରୁ ସପା ଶାସନ କାଳରେ ଅଖିଲେଶ ଯାଦବଙ୍କ ଫଟୋ ଥିବା ବ୍ୟାଗ ପିଲାଙ୍କୁ ଦିଆଯାଇଥିଲା। ସେହିପରି ଯୋଗୀ ସରକାରଙ୍କ ୧୦୦ଦିନ ଓ ଛଅମାସ ପୂରୁଣ ହେବା ଅବସରରେ ଗୋରୁଆ ରଙ୍ଗର ବୁକ୍‌ଲେଟ ମଧ୍ୟ ପ୍ରଦାନ କରାଯାଇଥିଲା। ନିକଟରେ ଯୋଗୀ ୫୦ଟି ଗୋରୁଆ ରଙ୍ଗର ବସ ଚଳାଚଳକୁ ଉଦ୍‌ଘାଟନ୍‌ କରିଥିଲେ।

ସମ୍ବନ୍ଧିତ ଖବର