ଚୀନ୍‌ ସୀମାନ୍ତରେ ମୁତୟନ ହୋଇଥିବା ଯୋଗୀ ଆଦିତ୍ୟନାଥଙ୍କ ସୁବେଦାର ସାନଭାଇ

ମାନା (ଚୀନ୍‌ ସୀମାନ୍ତ): ବିଜେପିର ଫାୟାର୍‌ବ୍ରାଣ୍ଡ୍‌ ନେତା ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ସଭିଏଁ ବହୁତ କଥା ଜାଣିଥିବାବେଳେ ଏହି ସନ୍ଥ-ରାଜନୀତିଜ୍ଞଙ୍କ ପରିବାରର ସଦସ୍ୟଙ୍କ ବିଷୟରେ କେହି ବିଶେଷ କିଛି ଜାଣନ୍ତି ନାହିଁ। ସମ୍ପ୍ରତି ନିରାପତ୍ତା ବଳ ଅଧିକାରୀମାନଙ୍କର ପିଲା ସେନା ବିଭାଗରେ ଯୋଗ ଦେଉ ନ ଥିବାବେଳେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ଭାରତୀୟ ସେନା ବାହିନୀରେ ଜଣେ ସୁବେଦାର ଭାବେ କାର୍ଯ୍ୟ କରୁଥିବା ଆନନ୍ଦର ବିଷୟ। ତାଙ୍କୁ ଚୀନ୍‌ ସୀମାନ୍ତସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ମୁତୟନ କରାଯାଇଛି।

ଚୀନ୍‌ ସୀମାନ୍ତରେ ପହରା ଦେଉଥିବା ସୈନିକମାନଙ୍କୁ ଭେଟିବା ସମୟରେ ଏକ ଦୂରଦର୍ଶନ ସଂସ୍ଥାନ ତାଙ୍କୁ ସାକ୍ଷାତ୍‌ କରିଥିଲା। ସମ୍ପୃକ୍ତ ଅଞ୍ଚଳଟି ସେନା ବହୁଳ ହୋଇ ନ ଥିବାରୁ ଅନ୍ୟାନ୍ୟ ସ୍ପର୍ଶ କାତର ଅଞ୍ଚଳ ଭଳି ସେଠାକୁ ଚୀନ୍‌ ସୈନ୍ୟମାନେ ଅନଧିକାର ପ୍ରବେଶର ଆଶଙ୍କା ସବୁବେଳେ ରହିଛି।

ନିରାପତ୍ତା ପ୍ରତି ଯେତେ ବିପଦ୍‌ ଥିଲେ ମଧ୍ୟ ବର୍ଷ ସାରା ଆମେ ସୀମାନ୍ତରେ ପାଟ୍ରୋଲିଙ୍ଗ କରୁଛୁ। ଏହି ଅଞ୍ଚଳ ଆମ ମାତୃଭୂମି ଏବଂ ଆମେ ଯେ କୌଣସି ମତେ ଏହାକୁ ନିରାପଦ୍‌ ରଖିବୁ ବୋଲି ଯୋଗୀଙ୍କ ସାନଭାଇ ସୁବେଦାର ଶୈଳେନ୍ଦ୍ର ମୋହନ କହନ୍ତି।

ଚୀନ୍‌ ନିକଟବର୍ତ୍ତୀ ମାନା ସୀମାନ୍ତରେ ତାଙ୍କୁ ଘର୍‌ଓ୍ଵାଲ୍‌ ସ୍କାଉଟ୍‌ ୟୁନିଟ୍‌ରେ ଅବସ୍ଥାନ କରା ଯାଇଛି। ଏହି ପାର୍ବତ୍ୟ ସୀମାନ୍ତାଞ୍ଚଳରେ ପହରା ଦେବା ନିମନ୍ତେ କେବଳ ସ୍ଥାନୀୟ ଅଧିବାସୀଙ୍କୁ ସୈନିକ ଭାବେ ନିଯୁକ୍ତି ଦିଆ ଯାଇଥାଏ।

Photo Courtesy of Zee News

ଗୋରଖପୁର ଗୋରଖନାଥ ମନ୍ଦିରରେ ଯୋଗ ଦେବା ପାଇଁ ସଂସାର ତ୍ୟାଗ କରି ଥିବା ବଡ଼ ଭାଇଙ୍କ ସହ ସାକ୍ଷାତ୍‌ କରିବାକୁ ସମୟ ପାଉଛନ୍ତି କି, ନାହିଁ ପଚାରନ୍ତେ ସେ କହିଲେ କି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କୁ ଥରେ ମାତ୍ର ଦିଲ୍ଲୀରେ ଭେଟି ଥିଲେ।

ଶୈଳେନ୍ଦ୍ର କହନ୍ତି ଯେ ତାଙ୍କ ଭାଇ ଯୋଗୀଙ୍କର ତାଙ୍କ ପ୍ରତି ଥିବା ଗୋଟିଏ ମାତ୍ର ବାର୍ତ୍ତା ହେଉଛି ପାରୁ ପର୍ଯ୍ୟନ୍ତ ସେ ଦେଶର ସେବା କରନ୍ତୁ। ଦେଶ ସେବାରେ ନିଜର ଅଭିଜ୍ଞତାକୁ ବାଣ୍ଟି ସେ ଏ ଭଳି ବାର୍ତ୍ତା ଦେଇଛନ୍ତି।

ଶୈଳେନ୍ଦ୍ର ଆହୁରି କହିଛନ୍ତି ଯେ ସେ ଏବଂ ମୁଖ୍ୟମନ୍ତ୍ରୀ, ଯାହାଙ୍କୁ ଶୈଳେନ୍ଦ୍ର ଏବଂ ତାଙ୍କ ପରିବାର ‘ମହାରାଜ’ ବୋଲି ସମ୍ବୋଧନ କରନ୍ତି ପିଲାଦିନେ ଏକତ୍ର ବହୁ ସମୟ ବିତାଇଲାବେଳେ ଫାୟାର୍‌ବ୍ରାଣ୍ଡ୍‌ ବିଜେପି ନେତାଙ୍କ ସଂକ୍ରାନ୍ତରେ ଅନେକ ମଉଜିଆ କଥା କୁହାକୁହି ହୋଇଛନ୍ତି।

Photo Courtesy of NDTV

ଆହୁରି ମଧ୍ୟ ସୁବେଦାର କହିଛନ୍ତି ଯେ ସେ ଏବଂ ଯୋଗୀ ଆଦିତ୍ୟନାଥ ଦେଶ ପାଇଁ ଏକ ପ୍ରକାରର କର୍ତ୍ତବ୍ୟ ପାଳନ କରୁଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ଯୋଗୀ ଦେଶ ସେବା କରୁଥିବାବେଳେ ଶୈଳେନ୍ଦ୍ର ସୀମାନ୍ତରେ ଜଣେ ସୈନିକ ହୋଇ ଏକା କାମ କରୁଛନ୍ତି।

ଯୋଗୀ ଆଦିତ୍ୟନାଥଙ୍କର ଅଛନ୍ତି ସମୁଦାୟ ତିନି ଭାଇ। ମାନବେନ୍ଦ୍ର ଯୋଗୀଙ୍କ ଠାରୁ ବଡ଼ ହୋଇଥିବାବେଳେ ଶୈଳେନ୍ଦ୍ର ଏବଂ ମହେନ୍ଦ୍ର ମୋହନ ତାଙ୍କ ଠାରୁ ସାନ ଅଟନ୍ତି।

ସମ୍ବନ୍ଧିତ ଖବର