ଲକ୍ଷ୍ନୌ : ୨୦୦୫ରେ ବହୁଜନ ସମାଜ ପାର୍ଟି (ବିଏସ୍ପି) ବିଧାୟକ ରାଜୁ ପାଲଙ୍କୁ ପ୍ରୟାଗରାଜରେ ହତ୍ୟା କରାଯାଇଥିଲା। ଗତକାଲି ଏହି ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଉମେଶ ପାଲଙ୍କ ହତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ଆଜି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି କହି ଅଖିଳେଶ ପାଲଙ୍କ ହତ୍ୟା ପାଇଁ ସରକାର ହିଁ ସଂପୂର୍ଣ୍ଣ ଦାୟୀ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହା ଜୋର୍ଦାର ବିରୋଧ କରିଥିଲେ। ସେ କହିଥିଲେ ଯେ, ସମାଜବାଦୀ ପାର୍ଟି(ସପା) ମାଫିଆ (ଅପରାଧୀ)ମାନଙ୍କ ପୃଷ୍ଠପୋଷକତା କରୁଛି । ସେମାନେ ମାଫିଆଙ୍କ କାୟାବିସ୍ତାର ପାଇଁ ସବୁକିଛି କରିଛନ୍ତି ଏବଂ ସପା ମାଫିଆ ସାମ୍ରାଜ୍ୟ ମାଧ୍ୟମରେ ନିଜ ରାଜନୀତି ବଞ୍ଚାଇବାକୁ ଚାହୁଛି। ଏଭଳି ମାଫିଆଙ୍କୁ ଆମେ ଛାଡ଼ିବୁ ନାହିଁ, ‘ଉନକୋ ମିଟ୍ଟି ମେଁ ମିଲା ଦେଙ୍ଗେ’ (ସେମାନଙ୍କୁ ମାଟିରେ ମିଶାଇଦେବୁ) ବୋଲି ଯୋଗୀ ଗର୍ଜନ କରି କହିଥିଲେ। ଉମେଶ ପାଲଙ୍କୁ ଶୁକ୍ରବାର ତାଙ୍କ ପ୍ରାୟାଗରାଜ ବାସଭବନରେ ହତ୍ୟା କରାଯାଇଛି। ତାଙ୍କର ଜଣେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଦେହରେ ବି ଗୁଳି ବାଜିଥିଲା ଏବଂ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ରାଜୁ ପାଲ ପୂର୍ବତନ ଏମ୍ପି ଅତିକ ଅହମଦଙ୍କ ସାନଭାଇ ଖାଲିଦ ଅଜିମଙ୍କୁ ହରାଇ ଆଲ୍ଲାହାବାଦ (ପଶ୍ଚିମ) ଆସନରୁ ଜିତିବାର କେଇମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଅତିକ ଅହମଦ, ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଅସରଫ ହେଉଛନ୍ତି ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜେଲରେ ଅଛନ୍ତି।
ପୁଲିସର କହିବା ଅନୁସାରେ ଆକ୍ରମଣକାରୀମାନେ ବ୍ୟାଗ୍ରେ ବୋମା ଧରି ଉମେଶ ପାଲଙ୍କ କାର୍ର ଅନୁଧାବନ କରୁଥିଲେ। ଗୋଟିଏ ଭିଡିଓ କ୍ଲିପ୍ରେ ଦେଖିବାକୁ ମିଳିଛି, ଜଣେ ଅଭିଯୁକ୍ତ ବ୍ୟାଗ୍ରୁ ବୋମା କାଢ଼ୁଛି ଏବଂ ଉମେଶ ପାଲଙ୍କ ଉପରକୁ ଫୋପାଡ଼ୁଛି। ଯେଉଁ ମାଫିଆ ଏ କାମ କରିଛି, ସେ ଏବେ ଫେରାର ଅଛି। ତେବେ ସେ ମାଫିଆ ଯିଏ ହେଉ ନା କାହିଁକି ଆମ ସରକାର ‘ମାଫିଆରାଜ’କୁ ତିଷ୍ଠିବାକୁ ଦେବ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।
ଯୋଗୀ କହିଛନ୍ତି- ଆପଣମାନେ (ସମାଜବାଦୀ ପାର୍ଟି) ମାଫିଆଙ୍କୁ ଫୁଲମାଳ ଦେଇ ତାଙ୍କୁ ସ୍ବାଗତ କରୁଛନ୍ତି ଏବଂ ତା’ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଡ୍ରାମା କରୁଛନ୍ତି। ପୂର୍ବତନ ଏମ୍ପି ଅତିକ ଅହମଦଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରିବା କଥା କ’ଣ ସତ ନୁହେଁ? ସରକାର ରାଜ୍ୟରୁ ମାଫିଆଙ୍କୁ ସମାପ୍ତ କରିବା ପାଇଁ ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଦିତ୍ୟନାଥଙ୍କ ଏଭଳି ମନ୍ତବ୍ୟର ଉତ୍ତର ଦେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି,- ଯେଉଁଭଳିଭାବେ ଗତକାଲି ବୋମା ଫିଙ୍ଗାଗଲା, ସେଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ରାଜ୍ୟରେ ଗ୍ୟାଙ୍ଗୱାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା କ’ଣ ରାମରାଜ୍ୟ ଯେଉଁଠି ଖୋଲାଖୋଲି ବନ୍ଧୁକ ଗର୍ଜୁଛି? ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ଏଥିପାଇଁ ବିଜେପି ଦାୟୀ ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି। ଏହାର ଜବାବରେ ଯୋଗୀ ଅଖିଳେଶଙ୍କ ଉଦ୍ଧେଶ୍ୟରେ କହିଥିଲେ ମାଫିଆଙ୍କ ଆଶ୍ରାରେ ରାଜନୀତି କରୁଥିବା ବ୍ୟକ୍ତି, ଯିଏ ନିଜ ପିତାଙ୍କୁ ବି ସମ୍ମାନ ଦେଇନାହିଁ ତାଙ୍କଠାରୁ କ’ଣ ଆଶା କରାଯିବ।