ଅଯୋଧ୍ୟା: ରାମ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ପରେ ଆଜିଠାରୁ ମନ୍ଦିରର କବାଟ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲ୍ଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିବା ପରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମନ୍ଦିରକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିବା ସତ୍ତ୍ବେ ପରିସ୍ଥିତିରେ ସୁଧାର ଆସିନାହିଁ । ଦଳାଚଟକା ଯୋଗୁଁ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି ।

Advertisment

ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅଯୋଧ୍ୟା, ରାମ କଥା ପାର୍କ ହେଲିପ୍ୟାଡରେ ଅବତରଣ କରିଥିଲା। ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି।

ଏହି ଖବର ଲେଖାହେବା ପର୍ଯ୍ୟନ୍ତ ଆଜି ପ୍ରାୟ ଅଢ଼େଇରୁ ୩ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାର ରାମଲାଲାଙ୍କୁ ଦର୍ଶନ କରିଛନ୍ତି ଏବଂ ସମାନ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି।  ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏଥିପାଇଁ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଙ୍କୁ ନିୟୋଜିତ କରାଯାଇଛି।

ତରବରିଆ ଭାବେ ରାମ ଭକ୍ତଙ୍କ ପାଖକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ୧୦ରୁ ୧୫ ଦିନ ପରେ ଅଯୋଧ୍ୟା ଆସି ସହଜରେ ରାମଲାଲାଙ୍କୁ ଦର୍ଶନ କରନ୍ତୁ। କମିଶନର ଗୌରବ ଦୟାଲ ଓ ଆଇଜି ରେଞ୍ଜ ପ୍ରବୀଣ କୁମାର ଏ ନେଇ ସୂଚନା ଦେଇଛନ୍ତି।