ଦଳିତଙ୍କ ଘରେ ଖାଇ ଅଖିଳେଶଙ୍କୁ ଟା‌ର୍ଗେଟ୍‌ କଲେ ଯୋଗୀ

ଗୋରଖପୁର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଗତ କିଛି ଦିନ ଧରି ଯୋଗୀ କ୍ୟାବିନେଟ୍‌ରୁ ୩ ମନ୍ତ୍ରୀଙ୍କ ଇସ୍ତଫା ସମେତ ମୋଟ୍‌ ୮ ଜଣ ନେତା ଦଳ ଛାଡ଼ିଛନ୍ତି। ଇସ୍ତଫା ଦେଇଥିବା ୩ ମନ୍ତ୍ରୀ ହେଉଛନ୍ତି ଓବିସି ନେତା। ସମସ୍ତ ଇସ୍ତଫା ଦେଇଥିବା ଓବିସି ନେତା ଦାବି କରୁଛନ୍ତି ଯେ ବିଜେପି ସରକାର ପଛୁଆ ବର୍ଗକୁ କରିଥିବା ଅବହେଳା ପାଇଁ ସେମାନେ ଦଳ ଛାଡ଼ୁଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଓଲଟା ଗେମ୍‌ ଖେଳିଛନ୍ତି।

ଯୋଗୀ ଶୁକ୍ରବାର ଦିନ ଜଣେ ଦଳିତଙ୍କ ଘରେ ହିଁ ମଧ୍ୟାହ୍ନ ଭୋଜନ କରିଛନ୍ତି। ମକର ସଂକ୍ରାନ୍ତି ଅବସରରେ ମୋଦୀ ଶୁକ୍ରବାର ଦିନ ଅମୃତଲାଲ ଭାରତୀଙ୍କ ବାସଭବନରେ ଖାଇଛନ୍ତି। ଏହାପରେ ଯୋଗୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କେବଳ ୧୮ ହଜାର ଘର ମିଳିଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାର ଅଧୀନରେ ଗରିବମାନଙ୍କୁ ୪୫ ଲକ୍ଷ ଘର ମିଳିଛି। ଯୋଗୀ ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି, ସପା ସରକାରରେ ସାମାଜିକ ଶୋଷଣ ଚାଲିଥିଲା। କିନ୍ତୁ ଯୋଗୀ ସରକାରଙ୍କ ଅମଳରେ ଗରିବମାନେ ଉପକୃତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରି ୧୦ ତାରିଖରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇ ମାର୍ଚ୍ଚ ୭ରେ ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବ।

ସମ୍ବନ୍ଧିତ ଖବର