ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଯୋଗୀ, ଚନ୍ନି, ଧାମୀ

୧୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାନ୍‌

ଲକ୍ଷ୍ନୌ/ଚଣ୍ଡିଗଡ଼/ଡେରାଡ଼ୁନ୍‌ : ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଶୁକ୍ରବାର ଦିନ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ, ପଂଜାବର ଚରଣଜିତ ସିଂହ ଚନ୍ନି ଏବଂ ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ତାଙ୍କ ବିଦାୟୀ କ୍ୟାବିନେଟ୍‌ର ଶେଷ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଇସ୍ତଫାପତ୍ର ଦେଇଛନ୍ତି। ଯୋଗୀ ପୁଣିଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ନେବେ। ପଂଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଚନ୍ନି ରାଜ୍ୟପାଳ ବନୱରିଲାଲ୍‌ ପୁରୋହିତଙ୍କୁ ଇସ୍ତଫାପତ୍ର ଦେଇଛନ୍ତି। ଅନ୍ୟପକ୍ଷେ ଆସନ୍ତା ୧୬ ତାରିଖରେ ଆପ୍‌ର ଭଗୱନ୍ତ ମାନ୍‌ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେ‌ବେ। କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାପରେ ଚନ୍ନି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୧୧ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିବା ଚନ୍ନି ନିର୍ବାଚନ ହାରି ଯାଇଛନ୍ତି।

ଉତ୍ତରାଖଣ୍ଡରେ ବିଜେପିର ଐତିହାସିକ ବିଜୟ ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ବାଚନ ହାରି ଯାଇଛନ୍ତି। ଖତିମା ନିର୍ବାଚନମଣ୍ଡଳୀରୁ ଧାମୀଙ୍କ ପରାଜୟ ବିଜେପି ପାଇଁ ଲଜ୍ଜାଜନକ। ନିର୍ବାଚନରେ ହାରିବା ପରେ ଧାମୀ ରାଜ୍ୟପାଳ ଲେପ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହଙ୍କୁ ରାଜଭବନରେ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ତେବେ ଧାମୀ ଇସ୍ତଫା ଦେଇଥିଲେ ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ। ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ବିଜେପିକୁ ୪୭ ଆସନ ମିଳିଛି। ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ସ୍ବପ୍ନ ଦେଖୁଥିବା କଂଗ୍ରେସର ସ୍ବପ୍ନ ଚୁର୍‌ମାର ହୋଇଯାଇଛି।

ସମ୍ବନ୍ଧିତ ଖବର