ମଥୁରା-ବୃନ୍ଦାବନ ଅଞ୍ଚଳରେ ମଦ ଓ ମାଂସ ବିକ୍ରି ନିଷେଧ କଲେ ଯୋଗୀ ସରକାର

ନୂଆଦିଲ୍ଲୀ: ଏଣିକି ମଥୁରା-ବୃନ୍ଦାବନ ଅଞ୍ଚଳରେ ମଦ ଓ ମାଂସ ବିକ୍ରି କରାଯାଇପାରିବ ନାହିଁ | ଉତ୍ତରପ୍ରଦେଶ ଯୋଗୀ ସରକାର ମଥୁରା ଏବଂ ବୃନ୍ଦାବନର ୧୦ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ବୋଲି ଘୋଷଣା କରିଛନ୍ତି। ଏହି ୧୦ କିଲୋମିଟର ଅଞ୍ଚଳରେ ମାଂସ ଏବଂ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଯେଉଁମାନେ ନିୟମ ନ ମାନି ମାଂସ ଦୋକାନ କରିବେ ବା ମଦ ବିକ୍ରି କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ | ତୀର୍ଥସ୍ଥଳୀ ଭାବରେ ଘୋଷିତ ଅଞ୍ଚଳରେ ମ୍ୟୁନିସିପାଲିଟି କର୍ପୋରେସନର ୨୨ ଟି ୱାର୍ଡ ଅଛି | ଯୋଗୀ ସରକାର ନିରନ୍ତର ତୀର୍ଥସ୍ଥଳୀର ବିକାଶ କରୁଛନ୍ତି । ଅଯୋଧ୍ୟା, ବାରାଣାସୀ, ମଥୁରାରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ବ୍ୟବସ୍ଥା କରିବାକୁ ଯୋଗୀ ଆଜି ନିର୍ଦ୍ଦେଶ ଦେଇଛନ୍ତି |

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଜନ୍ମାଷ୍ଟମୀ ଦିନ ମଥୁରା ଆସିଥିଲେ ଏବଂ କହିଥିଲେ ଯେ ମଥୁରାର ବୃନ୍ଦାବନ, ଗୋବର୍ଦ୍ଧନ, ନନ୍ଦଗାଓଁ, ଗୋକୁଳ, ମହାବନ ଏବଂ ବଳଦେବ ଅଞ୍ଚଳରେ ମାଂସ ଓ ମଦ ବିକ୍ରି ବନ୍ଦ ହୋଇଯିବ। ଆଉ ପୂର୍ବ ଘୋଷଣା ମୁତାବକ ଏହି ନିର୍ଦ୍ଦେଶ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି | ସେହିପରି ଯେଉଁମାନେ ମଦ ଦୋକାନ ବା ମାଂସ ଦୋକାନ କରିଥିଲେ ସେହି ବ୍ୟବସାୟୀଙ୍କୁ ଅନ୍ୟ ବୃତ୍ତିରେ ଥଇଥାନ କରାଯାଇଛି |

ସୂଚନା ଥାଉ କି ଉତ୍ତରପ୍ରଦେଶରେ ସରକାର ଗଠନ ହେବା ପରେ ଯୋଗୀ ତୀର୍ଥସ୍ଥଳୀ ଘୋଷଣା କରିବା ଆରମ୍ଭ କରିଥିଲେ। ଅକ୍ଟୋବର ୨୦୧୭ରେ, ବୃନ୍ଦାବନ ଏବଂ ରାଧାଙ୍କ ଜନ୍ମସ୍ଥାନ ବରସାନାକୁ ଧାର୍ମିକସ୍ଥଳୀ ଭାବରେ ଘୋଷଣା କରିଥିଲେ । ସାତୋଟି ସ୍ଥାନକୁ ମଧ୍ୟ ଧାର୍ମିକ ସ୍ଥାନ ଭାବରେ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ସୂଚନା ମୁତାବକ ପ୍ରତିବର୍ଷ ୧.୫ କୋଟି ଭକ୍ତ ବୃନ୍ଦାବନ ଏବଂ ୬୦ ଲକ୍ଷ ଭକ୍ତ ବରସାନା ଆସିଥାନ୍ତି |

ସମ୍ବନ୍ଧିତ ଖବର