ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବେ ଯୋଗୀ ସରକାର !

ଲକ୍ଷ୍ନୌ: ବୃନ୍ଦାବନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପରେ ବର୍ତ୍ତମାନ ଯୋଗୀ ସରକାର ପୁଣି ଥରେ କଠୋର ହୋଇଛନ୍ତି। ଆଗକୁ ଶ୍ରାବଣ ମାସ ଆସୁଥିବାରୁ ଯୋଗୀ ସରକାର ବୋଲବମ୍ ଯାତ୍ରା ଆରମ୍ଭ ପୂର୍ବରୁ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। କରୋନା କାରଣରୁ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ବୋଲବମ୍ ଯାତ୍ରା ବର୍ତ୍ତମାନ ପୁଣି ଆରମ୍ଭ ହେବାକୁ ଯାଉଛି। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ବ୍ୟତୀତ ୟୁପି ସରକାର ଏହି ଯାତ୍ରା ପାଇଁ ନିର୍ମିତ ମାର୍ଗରେ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେବେ ବୋଲି କୁହାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ, ଖୋଲା ସ୍ଥାନରେ ମାଂସ ବିକ୍ରି ନହେବାକୁ ନିଶ୍ଚିତ କରିବା ପାଇଁ ସ୍ଥାନୀୟ, ଜିଲ୍ଲା ତଥା ପୁଲିସ ପ୍ରଶାସନ ମାଂସ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଶିବ ଭକ୍ତଙ୍କ ବିଶ୍ୱାସ ସହିତ ଜଡିତ ବୋଲବମ୍ ଯାତ୍ରା ଜୁଲାଇ ୧୪ରୁ ଆରମ୍ଭ ହେବ। କରୋନା ପାଇଁ ୨୦୨୦ ଏବଂ ୨୦୨୧ରେ ବୋଲବମ୍ ଯାତ୍ରା ଆୟୋଜିତ ହୋଇନଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୭ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୟୁପିରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବା ପରେ ହେଲିକପ୍ଟରରୁ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଯୋଗୀ ବୋଲବମ ଯାତ୍ରାରେ ଡିଜେ ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦେଇଥିଲେ। ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ବୈଠକରେ ବୋଲବମ୍ ଯାତ୍ରୀଙ୍କ ପାଇଁ ନିର୍ମିତ ମାର୍ଗରେ ପରିଷ୍କାର ପରିଚ୍ଛନ୍ନତା ଏବଂ ଖୋଲା ସ୍ଥାନରେ ମାଂସ ବିକ୍ରିକୁ ନିଷିଦ୍ଧ କରିବା ସହିତ ପର୍ଯ୍ୟାପ୍ତ ଆଲୋକ ଏବଂ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

ସମ୍ବନ୍ଧିତ ଖବର