ଯୋଗୀ ସରକାରଙ୍କ ରାଜନୀତି! ଆମ୍ବେଦକରଙ୍କ ନାଁ ବଦଳାଇଦେଲେ

ନାମ ସହ ‘ରାମ୍‌ଜୀ’ ଶବ୍ଦ ଯୋଡ଼ିଲେ, ନିର୍ବାଚନ ପାଇଁ ଦଳିତଙ୍କ ସହ ଚାଲ୍‌ ଖେଳୁଛି ବିଜେପି: ବିରୋଧୀ

ଲକ୍ଷ୍ନୌ: ଏକ ଅଭୂତପୂର୍ବ ଘଟଣାକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାର ଭାରତୀୟ ସମ୍ବିଧାନର ଜନକ ଡ. ଭୀମ ରାଓ ଆମ୍ବେଦକରଙ୍କ ନାମ ସହ ‘ରାମ୍‌ଜୀ’ ଯୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ସମସ୍ତ ସରକାରୀ କାଗଜପତ୍ରରେ ଆମ୍ବେଦକରଙ୍କ ନାମ ଭୀମରାଓ ରାମ୍‌ଜୀ ଆମ୍ବେଦକର ବୋଲି ଦର୍ଶାଯିବ। ରାଜ୍ୟପାଳ ରାମ ନାଏକଙ୍କ ପରାମର୍ଶ କ୍ରମେ ବୁଧବାର ରାତିରେ ଉତ୍ତରପ୍ରଦେଶର ପ୍ରମୁଖ ଶାସନ ସଚିବ ଜିତେନ୍ଦ୍ର କୁମାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଅପରପକ୍ଷେ, ଏହାଦ୍ୱାରା ବିଜେପି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳିତ ଭୋଟ ହାତେଇବା ଲାଗି ଏପରି ସଂକୀର୍ଣ୍ଣ ରାଜନୈତିକ ଚାଲ୍‌ ଖେଳିଛି ବୋଲି ବିରୋଧୀମାନେ ସମାଲୋଚନା କରିଛନ୍ତି।

ସୂଚନା ଥାଉ କି, ରାଜ୍ୟପାଳ ରାମ ନାଏକଙ୍କ କହିବା ଅନୁଯାୟୀ, ତାଙ୍କ ଭଳି ଆମ୍ବେଦକର ମଧ୍ୟ ହେଉଛନ୍ତି ଜଣେ ମରାଠୀ। ତେବେ ହିନ୍ଦୀଭାଷୀ ଲୋକେ ସବୁବେଳେ ଆମ୍ବେଦକରଙ୍କ ନାମକୁ ଭୁଲ୍‌ରେ ଲେଖି ଆସୁଛନ୍ତି। ଭୀମରାଓ ଗୋଟିଏ ଶବ୍ଦ ହୋଇଥିବା ବେଳେ ଏହାକୁ ଭୀମ ରାଓ ଭାବେ ପୃଥକ୍‌ ଶବ୍ଦରେ ଲେଖାହୋଇ ଆସୁଛି। ସେହିପରି ନିଜ ନାମ ମଝିରେ ବାପାଙ୍କ ନାମ ଯୋଡ଼ି ଲେଖିବାର ବିଧି ମରାଠୀମାନଙ୍କର ରହିଛି। ଆମ୍ବେଦକରଙ୍କ ବାପାଙ୍କ ନାମ ରାମ୍‌ଜୀ ଥିବାରୁ ମରାଠୀ ହିସାବରେ ଆମ୍ବେଦକରଙ୍କ ଠିିକ୍‌ ନାମ ଭୀମରାଓ ରାମ୍‌ଜୀ ଆମ୍ବେଦକର ହେବା ବାଞ୍ଛନୀୟ। ନିଜେ ଆମ୍ବେଦକର ମଧ୍ୟ ତାଙ୍କର ଏହି ନାମ ଅନୁସାରେ ସମ୍ବିଧାନ ପୃଷ୍ଠାରେ ସ୍ୱାକ୍ଷର କରିଥିଲେ ବୋଲି ରାଜ୍ୟପାଳ ଯୁକ୍ତି ଦର୍ଶାଇଛନ୍ତି। ତେବେ ଏପରି ଭୁଲ୍‌ ବନାନ ହୋଇ ଆସୁଥିବା ଆମ୍ବେଦକରଙ୍କ ନାମରେ ସଂଶୋଧନ ଆଣିବା ପାଇଁ ରାମ ନାଏକ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବାବାସାହେବ ଡ. ଭୀମରାଓ ଆମ୍ବେଦକର ମହାସଭାକୁ ଲେଖିଥିଲେ। ପୂର୍ବରୁ ରହିଥିବା ସମସ୍ତ ସରକାରୀ କାଗଜପତ୍ରରେ ଆମ୍ବେଦକରଙ୍କ ନାମ ବିଆର୍‌ ଆମ୍ବେଦକର ବୋଲି ରହିଛି। ତେବେ ଇଂରାଜୀରେ ଆମ୍ବେଦକରଙ୍କ ନାମର କୌଣସି ସଂଶୋଧନ ଅଣାନଯାଇ କେବଳ ହିନ୍ଦୀରେ ଏହାର ବ୍ୟାଖ୍ୟା ଭୀମରାଓ ରାମ୍‌ଜୀ ଆମ୍ବେଦକର ଭାବେ ବିବେଚନା କରାଯିବ। ଅପରପକ୍ଷେ, ଉତ୍ତରପ୍ରଦେଶ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ବିରୋଧୀ ସମାଜବାଦୀ ପାର୍ଟି(ସପା) ତୀବ୍ର ପ୍ରତିକ୍ରିୟା ରଖିଛି। ଦଳିତଙ୍କ ମନୀଷୀ ଆମ୍ବେଦକରଙ୍କ ନାମକୁ ଧରି ବିଜେପି ସରକାର ଅଯଥା ରାଜନୀତି କରୁଛି ବୋଲି ସପା ନେତା ଅନୁରାଗ ଭଦୋରିଆ କହିଛନ୍ତି। ନିର୍ବାଚନ ପୂର୍ବରୁ ଦଳିତ ଭୋଟବ୍ୟାଙ୍କ ହାତେଇବା ଲାଗି ବିଜେପି ଏହି ଚାଲ୍‌ ଖେଳିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଖୋଦ୍‌ ଦିଲ୍ଲୀର ବିଜେପି ସାଂସଦ ଉଦିତ୍‌ ରାଜ୍‌ ମଧ୍ୟ ଉତ୍ତରପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରତିବାଦ ଜଣାଇଛନ୍ତି। ଜଣେ ନିଜ ନାମକୁ କେମିତି ବ୍ୟବହାର କରିବ, ତାହା ସଂପୃକ୍ତ ବ୍ୟକ୍ତିର ନିଜସ୍ୱ ଇଚ୍ଛା। ଏଥିରେ ଅଯଥା ବିବାଦ ପୂରାଇବା ଠିକ୍‌ ନୁହେଁ ବୋଲି ଉଦିତ୍‌ କହିଛନ୍ତି। ଡ. ଆମ୍ବେଦକରଙ୍କ ଦୁଇ ନାତି ପ୍ରକାଶ ଆମ୍ବେଦକର ଓ ଆନନ୍ଦ ଆମ୍ବେଦକର ମଧ୍ୟ ବିଜେପିର ଏହା ନିର୍ବାଚନୀ ଦଳିତ ଚାଲ୍‌ ବୋଲି ଆକ୍ଷେପ କରିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ଜେଜେଙ୍କୁ ବିଜେପି ଜଣେ ରାମଭକ୍ତ ବୋଲି ବର୍ଣ୍ଣନା କରିବା କିଛି ବିଚିତ୍ର ନୁହେଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର