ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟର ପ୍ରତ୍ୟେକ ପରିବାରର ଅତି କମରେ ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଗଲାଣି।

Advertisment

ଏହି ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଥିବା ସର୍ଭେ ବା ଦକ୍ଷତା ମ୍ୟାପିଂ ସମୟରେ, ଯେଉଁ ପରିବାରରେ ଯଦି କେହି କୌଣସି ଚାକିରିରେ ନିୟୋଜିତ ନଥିବେ ସେମାନଙ୍କର ତଥ୍ୟ ପ୍ରସ୍ତୁତ କରାଯିବ। ଏହିପରି ପରିବାରର ସଦସ୍ୟମାନେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ଜଡିତ ହେବେ ଏବଂ ପରିବାରର ଅତି କମରେ ଜଣେ ସଦସ୍ୟ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଗୋରଖପୁରରେ ଏକ ନିଯୁକ୍ତି ମେଳାରେ ଘୋଷଣା କରିଛନ୍ତି।
ଚାକିରି ନିମନ୍ତେ ଆବଶ୍ୟକତା ଅନୁଯାୟୀ, ଲୋକଙ୍କୁ ତାଲିମ ଦିଆଯିବ ଏବଂ ନିଯୁକ୍ତି କିମ୍ବା ସ୍ୱରୋଜଗାର ସହିତ ସେମାନେ ଜଡିତ ହେବେ। ରାଜ୍ୟର କୌଣସି ପରିବାର ନିଯୁକ୍ତିରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟନ୍ତ୍ରୀ ଯୋଗୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଡବଲ୍‌ ଇଞ୍ଜିନ୍‌ ସରକାର ଶ୍ରମିକଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ସ୍ୱୀକୃତି ଦେବା ପାଇଁ ସ୍କିଲ୍‌ ଇଣ୍ଡିଆ ଏବଂ ଷ୍ଟାର୍ଟଅପ୍‌ ଇଣ୍ଡିଆ ପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ ଯୁବକଙ୍କୁ ଚାକିରି ଦେଇଥିଲେ ଏବଂ ୬୦ ଲକ୍ଷ କାରିଗର ଋଣ ପାଇଥିଲେ ବୋଲି ସେ କହିଛନ୍ତି। ୨୦୧୫-୧୬ରେ ରାଜ୍ୟରେ ବେକାରୀ ହାର ୧୮ ପ୍ରତିଶତରୁ ଅଧିକ ଥିଲା। ଏହା ବର୍ତ୍ତମାନ ୧୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ଏବଂ ବର୍ତ୍ତମାନ ୨.୭ ପ୍ରତିଶତରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଆଦିତ୍ୟନାଥ କହିଛନ୍ତି ଯେ ୟୁପି ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଦିଗରେ ପଦକ୍ଷେପ ନେଇଛି, ଯାହା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାରେ ସହାୟକ ହେବ। ୨୦୧୬ରେ ୟୁପି ଅର୍ଥନୀତି ଦେଶର ଷଷ୍ଠ ସ୍ଥାନରେ ଥିଲା ଏବଂ ବର୍ତ୍ତମାନ ଏହା ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଏବଂ ଜିଡିପି ଦ୍ୱିଗୁଣିତ ହୋଇଛି। ଯୁବକ, କାରିଗର ଏବଂ ଶ୍ରମିକମାନେ ଆତ୍ମନିର୍ଭରଶୀଳତା ପଥରେ ଗତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଦାବି କରିଛନ୍ତି।