ଏହ୍ଲାବାଦ: ୧୦ ଟଙ୍କାରେ ମିଳୁଛି ‘ଯୋଗୀ ଥାଳି’; ସରକାର ନୁହନ୍ତି ବରଂ ଯୋଗୀଙ୍କ ଜଣେ ପ୍ରଶଂସକ ସଂପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ଆରମ୍ଭ କଲେ ଏହି ଯୋଜନା 

ଏହ୍ଲାବାଦ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଏହ୍ଲାବାଦ ଠାରେ ରବିବାର ରାତିରୁ ୧୦ ଟଙ୍କା ବିନିମୟରେ ଉପଲବ୍ଧ ହେଉଛି ‘ଯୋଗୀ ଥାଳି’। ରିହାତିଯୁକ୍ତ ଏହି ୧୦ ଟଙ୍କିଆ ‘ଯୋଗୀ ଥାଳି’ରେ ରହିଛି ପେଟପୂରା ଖାଦ୍ୟ। ରବିବାର ସନ୍ଧ୍ୟାରେ ‘ଯୋଗୀ ଥାଳି’ର ଶୁଭାରମ୍ଭ କରିଛନ୍ତି ଏହ୍ଲାବାଦ ମହାନଗର ନିଗମର ମେୟର ଅଭିଳାଷା ଗୁପ୍ତା।

ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ରିହାତିଯୁକ୍ତ ଏହି ‘ଯୋଗୀ ଥାଳି’ ବ୍ୟବସ୍ଥାର ପ୍ରଚଳନ ଉତ୍ତରପ୍ରଦେଶ ସରକାର କିମ୍ବା ଏହ୍ଲାବାଦ ମହାନଗର ନିଗମ ପକ୍ଷରୁ କରାଯାଇ ନାହିଁ; କିମ୍ବା ଏ ବାବଦରେ ଉତ୍ତରପ୍ରଦେଶର ରାଜକୋଷରୁ ପଇସାଟିଏ ହେଲେ ସୁଦ୍ଧା ଖର୍ଚ୍ଚ କରାଯାଉ ନାହିଁ କି ସରକାରୀ କଳ ଏଥିରେ ସାମିଲ ନାହିଁ। ବରଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଜଣେ ଅନୁଗାମୀ ତଥା ପ୍ରଶଂସକ ଦିଲୀପ୍‌ ଓରଫ କାକେ ସଂପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ଓ ନିଜସ୍ୱ ପ୍ରଚେଷ୍ଟାରେ ଏହି ରହିତିଯୁକ୍ତ ‘ଯୋଗୀ ଥାଳି’ର ପ୍ରଚଳନ କରିଛନ୍ତି। ‘ଯୋଗୀ ଥାଳି’ର ଶୁଭାରମ୍ଭ କରି ଏହ୍ଲାବାଦ ମେୟର ଅଭିଳାଷା ଗୁପ୍ତା କହିଛନ୍ତି ଯେ, ‘ଯୋଗୀ ଥାଳି’ର ପ୍ରଚଳନ ପରେ ଏହାଦ୍ୱାରା ବହୁଲୋକ ଉପକୃତ ହୋଇପାରିବେ।

ସେହିପରି ଏହି ଯୋଜନା ଆରମ୍ଭ କରିଥିବା ଯୋଗୀ ଅନୁଗାମୀ କାକେ କହିଛନ୍ତି, ‘ଆମର ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ ତୀର୍ଥ ସହର ଏହ୍ଲାବାଦରେ କେହି ଯେପରି ଭୋକରେ ନ ଶୁଅନ୍ତୁ। ସେଥିପାଇଁ ଆମେ ଏହି ଯୋଜନାର ପରିକଳ୍ପନା କରିଥିଲୁ। ଆମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ଦିନରାତି ଏକ କରି ଦେଇଥିବା କାରଣରୁ ଏଇ ଯୋଜନାକୁ ତାଙ୍କ ନାମରେ ଯୋଗୀ ଥାଳି ଭାବେ ନାମିତ କରିବା ପାଇଁ ନିଷ୍ପତ୍ତି ନେଲୁ’। ତେବେ, ୧୦ ଟଙ୍କିଆ ‘ଯୋଗୀ ଥାଳି’ରେ କ’ଣ ସବୁ ଖାଦ୍ୟ ଦ୍ରବ୍ୟ ମହଜୁଦ୍‌ ରହିଛି, ତା’ର ତାଲିକା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର