ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଅର୍ବାନ୍‌ ବିଧାନସଭା ଆସନରୁ ବିପୁଳ ବିଜୟ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ଯୋଗୀ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ସେ ୧ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ଯୋଗୀଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ସପା ପ୍ରାର୍ଥୀ ଶୁଭବତୀ ଉପେନ୍ଦ୍ର ଦତ୍ତ ଶୁକ୍ଳା ‌ହାରି ଯାଇଛନ୍ତି। ଯୋଗୀଙ୍କୁ ୬୫ ପ୍ରତିଶତରୁ ଅଧିକ ଭୋଟ୍‌ ମିଳିଛି। ରାଜ୍ୟ ରାଜନୀତିରେ ଯୋଗୀ ଇତିହାସ ରଚିଛନ୍ତି।

Advertisment

ମାୟାବତୀଙ୍କୁ ପୁଣି ଝଟ୍‌କା
ଲକ୍ଷ୍ନୌ : ବିଏସ୍‌ପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ୨୦୧୨, ୨୦୧୪, ୨୦୧୭, ୨୦୧୯ ପରେ ଏବେ ପୁଣି ୨୦୨୨ରେ ମାୟାବତୀଙ୍କ ଦଳ ପୂରା ପଛରେ ପଡ଼ିଛି। ଦିନେ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରମୁଖ ଭୂମିକା ନେଇଥିବା ବିଏସ୍‌ପି ଚଳିତ ନିର୍ବାଚନରେ ମାତ୍ର ଗୋଟିଏ ଆସନରେ ଜିତିଛି। ବିଏସ୍‌ପି ୧୮ ଆ‌ସନ ହରାଇ ଦେଇଛି। ପୂର୍ବ ନିର୍ବାଚନ ତୁଳନାରେ ସପା ଚଳିତ ନିର୍ବାଚନରେ ସବୁଠୁ ଅଧିକ ଭୋଟ୍‌ ପାଇଛି । ସପା ମୋଟ୍‌ ଭୋଟ୍‌ର ୩୨ ପ୍ରତିଶତ ପାଇଛି। ସପାର ଭୋଟ୍‌ ବୃଦ୍ଧି ସହ ମାୟାବତୀଙ୍କ ଦଳର ଭୋଟ୍‌ ହ୍ରାସ ହୋଇଛି। ବିଏସ୍‌ପିର ‌ଭୋଟ୍‌ ପ୍ରତିଶତ ୧୦ ପ୍ରତିଶତ ହ୍ରାସ ହୋଇଛି। କଂଗ୍ରେସର ଭୋଟ୍‌ ପ୍ରତିଶତ ମଧ୍ୟ ୬.୨ ପ୍ରତିଶତରୁ ୨.୪ ପ୍ରତିଶତକୁ ହ୍ରାସ ହୋଇଛି।

ସୋନୁ ସୁଦ୍‌ଙ୍କ ଭଉଣୀ ହାରିଲେ
କଂଗ୍ରେସର ଗଡ଼ ଭାବେ ପରିଚିତ ମୋଗା ଆସନରୁ ବଲିଉଡ଼ ଅଭିନେତା ସୋନୁ ସୁଦ୍‌ଙ୍କ ଭଉଣୀ ମାଳବିକା ସୁଦ୍‌ ହାରି ଯାଇଛନ୍ତି। ଗତ ୪୦ ବର୍ଷ ହେଲା ଏହି ଆସନରେ କଂଗ୍ରେସ ରାଜ୍‌ କରୁଥିଲା। ୧୯୯୭ରୁ ୨୦୧୭ ମଧ୍ୟରେ କଂଗ୍ରେସ ଏହି ଆସନରୁ ୬ ଜଣ ଜିତିଛି। କଂଗ୍ରେସରୁ ମାଳବିକା ଏହି ଆସନରୁ ପ୍ରାର୍ଥୀ ହେବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ତାଙ୍କୁ ଆପ୍‌ର ଡ ଅମନଦୀପ କୌର ଅରୋରା ପରାଜିତ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହାରିଲେ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉତ୍ତରପ୍ରଦେଶର ସିରାଥୁ ଆସନରୁ ହାରି ଯାଇଛନ୍ତି । ସମାଜବାଦୀ ପାର୍ଟିର ପଲ୍ଲବୀ ପ‌ଟେଲ୍‌ଙ୍କଠାରୁ ମୌର୍ଯ୍ୟ ୭୩୩୭ ଭୋଟ ବ୍ୟବଧାନରେ ହାରିଛନ୍ତି। ପଟେଲ ୧,୦୬,୨୭୮ ଭୋଟ ପାଇଥିବାବେଳେ ମୌର୍ଯ୍ୟ ୯୮,୯୪୧ ଖଣ୍ଡ ଭୋଟ ପାଇଛନ୍ତି। ଆଜି ସିରାଥୁ ଆସନରେ ଗଣତି ଚାଲିଥିବା ସମୟରେ ଭୋଟ୍‌ ଗଣନା କେନ୍ଦ୍ର ବାହାରେ ଗଣ୍ଡଗୋଳ ହୋଇଥିଲା। ଗଣତି କିଛି ସମୟ ବନ୍ଦ ରହିଥିଲା। ବିଜେପି କର୍ମୀମାନେ ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗ କରି ଆନ୍ଦୋଳନ କରିବାଦ୍ବାରା ପରିସ୍ଥିତ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ପୁଲିସ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା।