ୟୁପି ବିଧାନସଭା ନିର୍ବାଚନ: ଗୋରଖପୁରରୁ ଯୋଗୀଙ୍କ ପ୍ରାର୍ଥିପତ୍ର ଦାଖଲ, ସମ୍ପତ୍ତି ମୂଲ୍ୟ ୧.୫୪ କୋଟି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର (ଅର୍ବାନ୍‌) ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯୋଗୀ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ। ଶୁକ୍ରବାର ଏକ ରାଲି କରିବାପରେ ଆଦିତ୍ୟନାଥ ଜିଲ୍ଲାପାଳଙ୍କ ଅଫିସ୍‌ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଅତୀତରେ ଆଦିତ୍ୟନାଥ ୫ ଥର ଗୋରଖପୁର ଲୋକସଭା ଆସନରୁ ପ୍ରତିନିଧିତ୍ବ କରିଛନ୍ତି। ଗୋରଖପୁର ଅର୍ବାନ୍‌ ଆସନରେ ମାର୍ଚ୍ଚ ୩ ତାରିଖରେ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବ।

ଯୋଗୀ ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଗୋରଖପୁର ମନ୍ଦିରରେ ରୁଦ୍ରାଭିଷେକ କରିଛନ୍ତି। ଗୋରଖପୁର ପୀଠର ମୁଖ୍ୟ ମହନ୍ତ ହେଉଛନ୍ତି ଯୋଗୀ ଆଦିତ୍ୟନାଥ। ପୂର୍ବ ଉତ୍ତରପ୍ରଦେଶର ଗୋରଖପୁରରେ ଯୋଗୀଙ୍କର ଦଖଲ ରହିଛି। ଏହି ଆସନରୁ ସେ ପ୍ରତି ନିର୍ବା‌ଚନ ଜିତିଛନ୍ତି। ତେଣୁ ଚଳିତ ନିର୍ବାଚନ ତାଙ୍କ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ତେବେ ଗୋରଖପୁରରେ ଯୋଗୀଙ୍କ ବି‌ରୋଧରେ ସପା ଏଯାବତ ଏହାର ପ୍ରାର୍ଥୀ ଘୋ‌ଷଣା କରିନାହିଁ। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ୪୦୩ ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବ୍ରୁଆରି ୧୦ରେ ନିର୍ବାଚନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ନିର୍ବାଚନ ମାର୍ଚ୍ଚ ୭ ତାରିଖରେ ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ଫଳ ଆସିବ।

ସମ୍ପତ୍ତି ମୂଲ୍ୟ ୧.୫୪ କୋଟି
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତିର ମୂଲ୍ୟ ୧,୫୪,୯୪,୦୫୪ କୋଟି। ଏଥିରେ ନଗଦ ଟଙ୍କ, ୬ ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ସେଭିଙ୍ଗ୍‌ସ ମଧ୍ୟ ସାମିଲ ଅଛି। ଯୋଗୀଙ୍କର ୧୨ ହଜାର ଟଙ୍କାର ଏକ ସାମସଙ୍ଗ‌ ମୋବାଇଲ ଫୋନ୍‌ ଅଛି ଏବଂ ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ରିଭଲଭର ଅଛି। ୮୦ ହଜାର ଟଙ୍କାର ଏକ ବନ୍ଧୁକ ଅଛି। ଯୋଗୀଙ୍କର ଏକ ସୁନା କାନ ଅଳଙ୍କାର ଅଛି। ଏହା ୨୦ ଗ୍ରାମ୍‌ର ଏବଂ ଏହାର ମୂଲ୍ୟ ପ୍ରାୟ ୪୯ ହଜାର ଟଙ୍କା । ସେହିପରି ତାଙ୍କର ଏକ ସୁନା ‌‌‌‌ଚେନ୍‌ ଏବଂ ଏକ ରୁଦ୍ରାକ୍ଷ ମାଳ ଅଛି। ଏହାର ମୂଲ୍ୟ ପ୍ରା‌ୟ ୨୦ ହଜାର ଟଙ୍କା। ସତ୍ୟପାଠରେ ଯୋଗୀ ୨୦୨୦-୨୧ ବର୍ଷରେ ତାଙ୍କ ରୋଜଗାର ୧୩,୨୦,୬୫୩ ଅଛି ବୋଲି ଘୋଷଣା କରିଛନ୍ତି। ୨୦୧୯-୨୦ ରେ ଯୋଗୀଙ୍କ ରୋଜଗାର ୧୫,୬୮,୭୯୯ ଥିଲା। ୨୦୧୮-୧୯ରେ ଏହା ୧୮,୨୭,୬୩୯ ଏବଂ ୨୦୧୭-୧୮ରେ ୧୪,୩୮,୬୭୦ ଥିଲା। ଯୋଗୀଙ୍କ ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ନାମରେ କୌଣସି ଚାଷ ଜମି କିମ୍ବା ଅଣଚାଷ ଜମି ନାହିଁ। ତାଙ୍କ ନାମରେ କୌଣସି ଗାଡ଼ି ମଧ୍ୟ ନାହିଁ। ଯୋଗୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। ଯୋଗୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବାପରେ ମିରଟ, ଗାଜିଆବାଦ, ଆଲିଗଡ଼, ହାପୁର ଏବଂ ନଏଡ଼ାରେ ଭୋଟରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର