୩୭ ବର୍ଷର ରେକର୍ଡ ଭାଙ୍ଗିଲା: ଯୋଗୀଙ୍କ ଦ୍ୱିତୀୟ ପାଳି ଆରମ୍ଭ

ଯୋଗୀଙ୍କ ସହ ଶପଥ ନେଲେ ୫୨ ମନ୍ତ୍ରୀ, ୩୨ ନୂଆ ମୁହଁ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ଭବ୍ୟ ଓ ବିଶାଳ ଶପଥ ଗ୍ରହଣ ଉତ୍ସବରେ ଶୁକ୍ରବାର ଦିନ ଯୋଗୀଙ୍କୁ ରାଜ୍ୟପାଳ ଆନନ୍ଦୀବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ସିହତ ୫୨ ଜଣ ମନ୍ତ୍ରୀ ମଧ୍ୟ ଶୁକ୍ରବାର ଦିନ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୧୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ୧୪ ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ ଦାୟିତ୍ବ ଏବଂ ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୫୨ ମନ୍ତ୍ରୀଙ୍କ ମଧ୍ୟରେ ୩୨ ଜଣ ନୂଆ ମୁହଁ ଅଛନ୍ତି। କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରାହ୍ମଣ ନେତା ବ୍ରଜେଶ ପାଠକ ଉପ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି।

ବିକାଶର ନୂଆ ଅଧ୍ୟାୟ ଲେଖାଯିବ: ମୋଦୀ
ଏକମାତ୍ର ମୁସଲିମ ମନ୍ତ୍ରୀ ଡାନିସ୍‌ ଆଜାଦ ଅନ୍‌ସାରୀ
ବାଦପଡ଼ିଲେ ଦିନେଶ ଶର୍ମା

India TV

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଯୋଗୀଙ୍କ ସହ ଶପଥ ନେଇଥିବା କ୍ୟାବିନେଟ୍‌ ମନ୍ତ୍ରୀମାନେ ହେଲା ସୁରେଶ କୁମାର ଖାନ୍ନା, ସୂର୍ଯ୍ୟ ପ୍ରତାପ ସାହି, ସ୍ବତନ୍ତ୍ର ଦେବ ସିଂହ, ବେବି ରାଣୀ ମୌର୍ଯ୍ୟ, ଲକ୍ଷ୍ମୀ ନାରାୟଣ ଚୌଧୁରୀ, ଜୟବୀର ସିଂହ, ଧର୍ମପାଲ ସିଂହ, ନନ୍ଦ ଗୋପାଳ ଗୁପ୍ତା ନନ୍ଦି, ଭୂପେନ୍ଦ୍ର ସିଂହ ଚୌଧୁରୀ, ଅନୀଲ ରାଜଭର, ରାକେଶ ସଚନ, ଅରବିନ୍ଦ କୁମାର ଶର୍ମ‌ା, ଯୋଗେନ୍ଦ୍ର ଉପାଧ୍ୟାୟ, ଆଶିଷ ପଟେଲ ଏବଂ ସଂଜୟ ନିଶାଦ। ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାବେ ନୀତିନ ଅଗ୍ରୱାଲ୍‌, କପିଲ ଦେବ ଅଗ୍ରୱାଲ୍‌, ସନ୍ଦୀପ ସିଂହ, ଗୁଲାବ ଦେବୀଙ୍କ ସମେତ ମୋଟ୍‌ ୧୪ ଜଣ ଶପଥ ନେଇଛନ୍ତି। ସେହିପରି ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ହୋଇଛି। ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପାଳି କାର୍ଯ୍ୟକାଳ ଶେଷ କରିବା ସହ ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଆସି ୩୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବିଜେପି ଉତ୍ତରପ୍ରଦେଶରେ ୪୦୩ ଆସନରୁ ୨୫୫ ଆସନ ହାସଲ କରିଛି। ଯୋଗୀ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ପ୍ରଧାନମନ୍ତ୍ରୀ ଆଜି ଯୋଗୀ ଓ ତାଙ୍କ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯୋଗୀଙ୍କ ନେତୃତ୍ବରେ ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ହେବ ଏବଂ ବିକାଶର ଏକ ନୂଆ ଅଧ୍ୟାୟ ଲେଖାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯୋଗୀ କ୍ୟାବିନେଟ୍‌ରେ ଜଣେ ମାତ୍ର ମୁସଲିମ ମନ୍ତ୍ରୀ ରହିଛନ୍ତି ଏବଂ ତାଙ୍କ ନାମ ହେଉଛି ଡାନିସ୍ ଆଜାଦ ଅନ୍‌ସାରୀ। ୩୨ ବର୍ଷୀୟ ଅନ୍‌ସାରୀଙ୍କ ଘର ପୂର୍ବ ବାଲିଆରେ। ଅନ୍‌ସାରୀ ୨୦୧୧ରୁ ଛାତ୍ର ଜୀବନରେ ବିଜେପି ଏବଂ ଏବିଭିପି( ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ସହ ଜଡ଼ିତ। ଉଲ୍ଲେଖଯୋଗ୍ୟ, ପୂର୍ବ ସରକାରରେ ମୋହସିନ ରାଜା ଏକମାତ୍ର ମୁସଲିମ ମନ୍ତ୍ରୀ ଥିଲେ। ନିର୍ବାଚନ ହାରିଥିବା କେଶବ ପ୍ରସାଦ ମୌର୍ଯ୍ୟ ପୂର୍ବଭଳି ଯୋଗୀଙ୍କ ଉପମୁଖ୍ୟ ହୋଇଛନ୍ତି ଅନ୍ୟପକ୍ଷେ ଦିନେଶ ଶର୍ମାଙ୍କ ସ୍ଥାନରେ ବ୍ରଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ପୂର୍ବରୁ ଯୋଗୀ ସରକାରରେ ଆଇନ ମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର