ବିବାଦରେ ଯୋଗୀଙ୍କ ବୟାନ: ୟୁପିରେ ‘୮୦ ବନାମ ୨୦’ ଲଢ଼େଇ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ନିର୍ବାଚନରେ ୮୦ ବନାମ ୨୦ ଲଢ଼େଇ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏଭଳି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। କାରଣ ମୁଖ୍ୟମନ୍ତ୍ରୀ ଯେଉଁ ସଂଖ୍ୟା‌ର ଅନୁପାତ କଥା କହିଛନ୍ତି ତାହା ରାଜ୍ୟରେ ହିନ୍ଦୁ ଏବଂ ମୁସଲିମ ସଂଖ୍ୟାକୁ ସୂଚାଉଛି। ମୁଖ୍ୟମନ୍ତ୍ରୀ ପଦରେ ଥାଇ ସେ ଏଭଳି ବିଭାଜନକାରୀ ମନ୍ତବ୍ୟ ଦେଇଥିବାରୁ ବିରୋଧୀ ଏହାର ତୀବ୍ର ସମାଲୋଚନା କରିଛନ୍ତି।

ଏକ ଘରୋଇ ନ୍ୟୁଜ ଚ୍ୟାନେଲ କାର୍ଯ୍ୟକ୍ରମରେ ତାଙ୍କୁ ଉତ୍ତରପ୍ରଦେଶରେ ବ୍ରାହ୍ମଣ ଭୋଟ୍‌ ସଂକ୍ରାନ୍ତରେ ପ୍ରଶ୍ନ କରାଯାଇଥିଲା। ଯୋଗୀ ଏହାର ଉତ୍ତରରେ କହିଥିଲେ ଲଢ଼େଇ ଏବେ ବହୁତ ଆଗରେ। ଏହା ୮୦ ବନାମ ୨୦ ଲଢ଼େଇ ବୋଲି କହିଥିଲେ। ୮୦ ପ୍ରତିଶତ ଲୋକ ଜାତୀୟତାବାଦ, ସୁଶାସନ ଏବଂ ବିକାଶର ସମର୍ଥକ। ଏଭଳି ବ୍ୟକ୍ତି ବିଜେପିକୁ ଭୋଟ୍‌ ଦେ‌ବେ। କିନ୍ତୁ ଅପରାଧୀ ଏବଂ ମାଫିଆଙ୍କ ସମର୍ଥକ ୧୫-୨୦ ପ୍ରତିଶତ ରହିଛନ୍ତି। ‌ସେମାନେ ଭିନ୍ନ ବାଟରେ ଯିବେ। ତେଣୁ ଏହା ୮୦-୨୦ ଲଢ଼େଇ ବୋଲି ଯୋଗୀ କହିଥିଲେ। କିନ୍ତୁ ଯୋଗୀଙ୍କ ଏହି ୮୦ ବନାମ ୨୦ ବୟାନ ସିଧାସଳଖ ଭାବେ ହିନ୍ଦୁ ବନାମ ମୁସଲମାନ ଲଢ଼େଇକୁ ସୁଚାଉଛି। ଧାର୍ମିକ ଧ୍ରୁବୀକରଣ କରି ବିଜେପି ଉତ୍ତରପ୍ରଦେଶ ଭୋଟ ହାତେଇବା ଉଦ୍ୟମ କରୁଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର