ମାର୍ଚ୍ଚ ୨୫ରେ ଯୋଗୀଙ୍କ ଶପଥଗ୍ରହଣ ଉତ୍ସବ: ୨୦୦ ଭିଭିଆଇପି ଅତିଥି ଯୋଗଦେବେ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାର ୨.୦ ପାଇଁ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି। ଲକ୍ଷ୍ନୌ ସ୍ଥିତ ଏକନା ଷ୍ଟାଡିୟମ୍‌ରେ ପ୍ରାୟ ୪୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାରେ ଉପକୃତ ହଜାର ହଜାର ହିତାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଅନ୍ୟପକ୍ଷରେ ଉକ୍ତ ଐତିହାସିକ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯିବା ପାଇଁ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ‌ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ। ଯଦି ମିଳିଥିବା ସୂଚନା ସତ ହୁଏ, ତେବେ ଏହି ଉତ୍ସବକୁ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସୋନିଆ ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଏଥି ସହ ବିଜେପି-ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୫୫ ଆସନ ପାଇଥିବା ବେଳେ ସହଯୋଗୀ ଅପନା ଦଳ (ସୋନେଲାଲ) ଓ ନିଷାଦ ପାର୍ଟି ଯଥାକ୍ରମେ ୧୨ ଓ ୬ଟି ଆସନ ପାଇଥିଲେ। ସମାଜବାଦୀ ପାର୍ଟି ୧୧୧ଟି ଆସନ ପାଇଥିବା ବେଳେ ତାଙ୍କ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ ୮ ଓ ଅନ୍ୟତମ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ୬ଟି ଆସନରେ ଜିତିଥିଲେ। ତା’ ଛଡ଼ା କଂଗ୍ରେସ ୨ଟି, ବିଏସ୍‌ପି ଗୋଟିଏ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିଥିଲେ।

ସମ୍ବନ୍ଧିତ ଖବର