ନୂଆଦିଲ୍ଲୀ: ଭାରତରେ ଜନ୍ମିତ ବ୍ରିଟିସ୍ ଲେଖକ ସଲ୍ମାନ୍ ରୁଶ୍ଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଟୁଇଟ୍ କରିଥିବାରୁ ‘ହ୍ୟାରି ପଟର୍’ର ପୁସ୍ତକର ଲେଖିକା ଜେ.କେ. ରାଓଲିଙ୍ଗ୍ ହତ୍ୟା ଧମକ ପାଇଛନ୍ତି।
ଜଣେ ବ୍ୟବହାରକାରୀ ପଠାଇଥିବା ଉକ୍ତ ହତ୍ୟା ଧମକ ବାର୍ତ୍ତାର ସ୍କ୍ରିନ୍ସଟ୍କୁ ଟୁଇଟର୍ରେ ସେୟାର୍ କରି ୫୭ ବର୍ଷୀୟ ରାଓଲିଙ୍ଗ୍ ଉପରୋକ୍ତ ସୂଚନା ଦେଇଛନ୍ତି।
ଏହାଛଡ଼ା, ଶୁକ୍ରବାର ଦିନ ପଶ୍ଚିମ ନ୍ୟୁୟର୍କରେ ଆୟୋଜିତ ସାହିତ୍ୟ ଉତ୍ସବରେ ଉଦ୍ବୋଧନ ଦେଉଥିବା ବେଳେ ବିଶିଷ୍ଟ ଲେଖକ ସଲ୍ମାନ୍ ରୁଶ୍ଦୀଙ୍କୁ ଛୁରିକାଘାତ କରିଥିବା ନ୍ୟୁଜର୍ସି ବାସିନ୍ଦା ତଥା ଆକ୍ରମଣକାରୀ ହାଦୀ ମତାରଙ୍କୁ ମଧ୍ୟ ହତ୍ୟା ଧମକ ଜାରି କରିଥିବା ଟୁଇଟର୍ ହ୍ୟାଣ୍ଡଲ୍ ପ୍ରଶଂସା କରିଛନ୍ତି।
ଗୁରୁତର ଆହତ ହୋଇ ଭେଣ୍ଟିଲେଟର୍ରେ ଥିବା ସଲମାନ୍ ରୁଶ୍ଦୀଙ୍କୁ ଏବେ ଭେଣ୍ଟିଲେଟର୍ରୁ ବାହାରକୁ ଅଣାଗଲାଣି ଏବଂ ସେ କଥାବାର୍ତ୍ତା କରିବା ସହ ‘ଜୋକ୍’ କହୁଛନ୍ତି ବୋଲି ତାଙ୍କ ବହି ଏଜେଣ୍ଟ୍ ଆଣ୍ଡ୍ରିଉ ୱିଲି କହିଛନ୍ତି। କିନ୍ତୁ, ତାଙ୍କ ବିଷୟରେ ସେ ଅଧିକ କିଛି ତଥ୍ୟ ଦେଇ ନାହାନ୍ତି ବୋଲି ‘ୱାସିଂଟନ୍ ପୋଷ୍ଟ୍’ ରିପୋର୍ଟ କରିଛି।
Image Courtesy of India Todayସେପଟେ, ଆକ୍ରମଣକାରୀ ନ୍ୟୁୟର୍କ ଅଦାଲତରେ ନିବଦେନ କରିଛନ୍ତି କି, ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଲାଗୁ ନ କରାଯାଉ। କିନ୍ତୁ, ଅଦାଲତ ତାଙ୍କ ବିରୋଧରେ ‘ସେକେଣ୍ଡ୍ ଡିଗ୍ରି’ ଏବଂ ‘ଆସଲ୍ଟ୍ ଇନ୍ ଦି ସେକେଣ୍ଡ୍ ଡିଗ୍ରି’ ମାମଲା ରୁଜୁ କରିଛନ୍ତି। ସଲ୍ମାନ୍ଙ୍କୁ ସେ କି ଉଦ୍ଦେଶ୍ୟରେ ଆକ୍ରମଣ କରିଛନ୍ତି, ସେ କଥା ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି।
‘ଦି ସାଟାନିକ୍ ଭର୍ସେସ୍’ (ସୟତାନୀୟ ସ୍ତୁତି) ପୁସ୍ତକ ନିମନ୍ତେ ଲେଖକ ସଲ୍ମାନ୍ ରୁଶ୍ଦୀ ମୁସଲ୍ମାନଙ୍କ ଆକ୍ରୋଶର ସରବ୍ୟ ହୋଇଥିଲେ। ୧୯୮୮ରେ ଇରାନ୍ରେ ଏହି ପୁସ୍ତକକୁ ନିଷିଦ୍ଧ କରାଯିବା ସହ ତାଙ୍କ ବିରୋଧରେ ‘ଫତ୍ୱା’ ଜାରି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/JK.jpg)