ଆପଣ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି, ଆପଣ ଜଣକୁ ହତ୍ୟା କରିଛନ୍ତି; ସିଦ୍ଧୁଙ୍କୁ ଆପର ଜବାବ

ଚଣ୍ଡୀଗଡ଼: ଆପଣ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି, ଆପଣ ଜଣକୁ ହତ୍ୟା କରିଛନ୍ତି। ଏଭଳି କହି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଜବାବ ଦେଲା ଆପ୍। ୧୦ ମାସ ଜେଲରେ ରହିବା ପରେ ଶନିବାର ପଞ୍ଜାବର ପଟିଆଲା ଜେଲ୍‌ରୁ ମୁକୁଳିଥିଲେ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଜେଲରୁ ବାହାରକୁ ଆସିବା ପରେ ପରେ ସିଦ୍ଧୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଭଗୱନ୍ତ ମାନ ଖବରକାଗଜର ମୁଖ୍ୟମନ୍ତ୍ରୀ ହୋଇ ରହିଯାଇଛନ୍ତି। ପଞ୍ଜାବରେ ନେତାଙ୍କ ସୁରକ୍ଷା ହ୍ରାସ କରିବା ସହ ମୋର ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି। ଗୋଟିଏ ସିଦ୍ଧୁ (ସିଦ୍ଧୁ ମୁସେୱାଲା)କୁ ହତ୍ୟା କରାଗଲା, ଏବେ ଦ୍ବିତୀୟ ସିଦ୍ଧୁକୁ ବି ମାରିଦିଅ ବୋଲି କହିଥିଲେ ନବଜୋତ। ଏହା ସହ ପଞ୍ଜାବରେ ଆଇନ ବ୍ୟବସ୍ଥା ଖରାପ ହେବାରେ ଲାଗିଛି ବୋଲି ନବଜୋତ କହିଥିଲେ।

ଆଜି ଏହା ଉପରେ ପ୍ରତିକ୍ରିୟା ରଖି ଆପ୍ ମୁଖ୍ୟ ମୁଖପାତ୍ର ମଲବିନ୍ଦର ସିଂ କଙ୍ଗ କହିଛନ୍ତି ଯେ, ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ଅଭିଯୋଗରେ ଦଣ୍ଡ ଭୋଗିବା ପରେ ସିଦ୍ଧୁ ଜେଲରୁ ବାହାରିଛନ୍ତି ଏବଂ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି। ସିଦ୍ଧୁ ଜଣେ ଷ୍ଟଣ୍ଟମ୍ୟାନଙ୍କ ଭଳି ଆଚରଣ କରୁଛନ୍ତି ଏବଂ ରାଜ୍ୟ ସରକାରଙ୍କ ବିଷୟରେ ମିଥ୍ୟା ବିବୃତି ଦେଉଛନ୍ତି। ଅନୁତାପ କରିବା ପରିବର୍ତ୍ତେ ସିଦ୍ଧୁ ବଡ଼ ବଡ଼ କଥା କହୁଛନ୍ତି। ରୋଡ୍ ରେଜ୍ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା, ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ପ୍ରାଣ ହରାଇଥିଲେ। ତାଙ୍କ ବୟାନ ଶୁଣି ଲାଗୁଛି ଯେ, ସେ ନିଜ ହାଇକମାଣ୍ଡଙ୍କୁ ଖୁସି କରାଇବା ପାଇଁ ଏଭଳି କରିଛନ୍ତି।

ସମ୍ବନ୍ଧିତ ଖବର