ଡିଗ୍ରି ନଥାଇ ବି ପ୍ରତି ମାସରେ ୩୦,୦୦୦ ଟଙ୍କା ଆୟ କରିବାର ସୁଯୋଗ ମିଳିବ: ‌ସିନ୍ଧିଆ

ନୂଆଦିଲ୍ଲୀ: ଯଦି ଆପଣ ଚାକିରି ଖୋଜୁଛନ୍ତି ଏବଂ ଆପଣଙ୍କ ପାଖରେ କଲେଜ୍ ଡିଗ୍ରି ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଡିଗ୍ରି ନଥାଇ ବି ଆପଣ ମାସକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଆଗାମୀ ବର୍ଷରେ ଦେଶକୁ ଏକ ଲକ୍ଷରୁ ଅଧିକ ଡ୍ରୋନ୍ ପାଇଲଟଙ୍କୁ ନିଯୁକ୍ତ କରିବାକୁ ପଡ଼ିବ। ସମଗ୍ର ଦେଶରେ ଡ୍ରୋନ୍ ସେବା ପାଇଁ ସ୍ୱଦେଶୀ ଚାହିଦାକୁ କେନ୍ଦ୍ର ମନ୍ତ୍ରାଳୟ ପ୍ରୋତ୍ସାହିତ କରୁଛି। ଏଭଳି ପରିସ୍ଥିତିରେ ଡ୍ରୋନ୍ ପାଇଲଟଙ୍କ ଆବଶ୍ୟକତା ବଢ଼ିବ।

ଜ୍ୟୋତିରାଦିତ୍ୟ କହିଛନ୍ତି, ଏଥିପାଇଁ ପିଲାଙ୍କୁ ଡିଗ୍ରିର ଆବଶ୍ୟକତା ନାହିଁ। ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀ ଡ୍ରୋନ୍ ପାଇଲଟ୍ ପାଇଁ ତାଲିମ ନେଇପାରିବେ। ଏଥିପାଇଁ କୌଣସି କଲେଜ ଡିଗ୍ରିର ଆବଶ୍ୟକ ହେବ ନାହିଁ। ଆଗାମୀ ବର୍ଷରେ ପ୍ରାୟ ଏକ ଲକ୍ଷ ଡ୍ରୋନ୍ ପାଇଲଟଙ୍କ ଆବଶ୍ୟକତା ଥିବାରୁ ପିଲାଙ୍କୁ କେବଳ ଦୁଇ-ତିନି ମାସର ତାଲିମ ଦିଆଯାଇ ତାଙ୍କୁ ନିଯୁକ୍ତ କରାଯିବ। ଜଣେ ବ୍ୟକ୍ତି ମାସିକ ପ୍ରାୟ ୩୦,୦୦୦ ଟଙ୍କା ଦରମା ପାଇ ଡ୍ରୋନ୍ ପାଇଲଟ୍ ଭାବେ କାର୍ଯ୍ୟ କରିପାରିବେ।

ଦିଲ୍ଲୀରେ ଡ୍ରୋନ୍ ଉପରେ ନୀତି ଆୟୋଗର ଏକ୍ସପେରିୟନ୍ସ ଷ୍ଟୁଡିଓର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମେ ୨୦୩୦ ସୁଦ୍ଧା ଭାରତକୁ ଏକ ଡ୍ରୋନ୍ ହବ୍ କରିବା ପାଇଁ ଲକ୍ଷ୍ୟ ରଖିଛୁ। ବିଭିନ୍ନ ଶିଳ୍ପ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାରକୁ ଆମେ ପ୍ରୋତ୍ସାହିତ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି ଯେ ନୂତନ ଜ୍ଞାନକୌଶଳର ବିକାଶ ହେବା ଉଚିତ ଏବଂ ଅଧିକରୁ ଅଧିକ ଲୋକ ନୂତନ ଜ୍ଞାନକୌଶଳର ସୁବିଧା ପାଇବା ଉଚିତ।

ସମ୍ବନ୍ଧିତ ଖବର