ନୂଆଦିଲ୍ଲୀ: ବିଜେପି ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଦଳ ହଜାରିବାଗ ଆସନରେ ମନୀଷ ଜୈସ୍ବାଲଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରଠାରୁ ଜୟନ୍ତ ସିହ୍ନା କୌଣସି ସାଂଗଠନିକ କାର୍ଯ୍ୟରେ ଆଗ୍ରହ ଦେଖାଉନାହାନ୍ତି। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ହଜାରିବାଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ମଧ୍ୟ ନଦେବା ଚର୍ଚ୍ଚାର ବିଷୟ ହୋଇଛି। ବିଜେପି ଏନେଇ ସିହ୍ନାଙ୍କୁ କାରଣ ସ୍ପଷ୍ଟ କରିବାକୁ କହିଛି। ବିଜେପିର ଝାଡ଼ଖଣ୍ଡ ରାଜ୍ୟ ସଂପାଦକ ଆସିତ୍ୟ ସାହୁ ସିହ୍ନାଙ୍କୁ ଏକ ନୋଟିସ କରି କହିଛନ୍ତି, ଆପଣ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାପାଇଁ ମଧ୍ୟ ଉଚିତ ମନେ କଲେନାହିଁ। ଆପଣଙ୍କ ଏଭଳି ଆଚରଣ ପାଇଁ ଦଳ ଦଳ ବଦନାମ ହେଉଛି ଏବଂ ଲୋକଙ୍କୁ ଭୁଲ୍‌ ବାର୍ତ୍ତା ଯାଉଛି।ହଜାରିବାଗର ଏହି ବିଦାୟୀ ସାଂସଦଙ୍କଠାରୁ ବିଜେପି ୨ ଦିନ ମଧ୍ୟରେ ଜବାବ ମାଗିଛି।

Advertisment

ଗତ କିଛିଦିନ ତଳେ ଜୟନ୍ତ ସିହ୍ନାଙ୍କ ପୁଅ ଆଶିଷ ସିହ୍ନା ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟର ଏକ ନିର୍ବାଚନ ରାଲିରେ ଅଂଶଗ୍ରହଣ କରିଥିଲେ। ରାଲିରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ। ରାଲିରେ ଆଶିଷ ସିହ୍ନା କଂଗ୍ରେସ ପ୍ରାର୍ଥୀ ଜେ‌ପି ପଟେଲଙ୍କୁ ସମର୍ଥନ କରୁଥିବା କହିଥିଲେ। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚରେ ଜୟନ୍ତ ସିହ୍ନା ଲୋକସଭା ନିର୍ବାଚନ ନ ଲଢ଼ିବାପାଇଁ ଇଚ୍ଛା କରିଥିଲେ। ତାଙ୍କୁ ନିର୍ବାଚନ ରାଜନୀତିରୁ ମୁକ୍ତ କରିବାପାଇଁ ସେ ଅନୁରୋଧ କରିଥିଲେ। ଜୟନ୍ତ ସିହ୍ନା ଏବଂ ତାଙ୍କ ବାପା ଯଶୱନ୍ତ ସିହ୍ନା ୧୯୯୮ରୁ ୨୬ ବର୍ଷରୁ ଅଧିକ ସମୟ ଧରି ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରି ଆସୁଛନ୍ତି।