ନୂଆଦିଲ୍ଲୀ: ସଂସଦ ଭବନରେ ଏକ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ୫ବର୍ଷର କୁନି ଝିଅ ଦେଇଥିବା ଉତ୍ତର ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ସାଂସଦ ଅନିଲ ଫିରୋଜିଆ ଏବଂ ତାଙ୍କ ପରିବାରକୁ ସଂସଦ ଭବନରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଫିରୋଜିଆଙ୍କ ୫ବର୍ଷର ଝିଅ ସହିତ କଥା ହୋଇଥିବା ଦେଖାଯାଇଥିଲା।

Advertisment

ଏହି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୫ବର୍ଷୀୟ ଅହାନାଙ୍କୁ ପଚାରିଥିଲେ କି ତୁମେ ମୋତେ ଚିହ୍ନିଛ କି? ଏହାର ଜବାବରେ ଅହାନା କହିଥିଲେ, ହଁ। ଆପଣ ମୋଦୀ। ଆପଣ ପ୍ରତିଦିନ ଟିଭିରେ ଆସନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ ଅହାନାଙ୍କୁ ପଚାରିଥିଲେ, ମୁଁ କ’ଣ କାମ କରେ ତୁମେ ଜାଣ କି?  ଏହାର ଉତ୍ତରରେ ଅହାନା କହିଥିଲେ ଯେ, ଆପଣ ଲୋକସଭାରେ କାମ କରନ୍ତି। ଅହାନାଙ୍କ ଏହି ଉତ୍ତର ଶୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତ ଲୋକ ହସିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅହାନାଙ୍କୁ ଚକୋଲେଟ୍ ଦେଇଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀ ଅନିଲ ଫିରୋଜିଆଙ୍କୁ ଓଜନ ହ୍ରାସ କରିଥିବାରୁ ପ୍ରଶଂସା କରିବା ସହ ବର୍ତ୍ତମାନ ତାଙ୍କୁ ଆହୁରି ଅଧିକ ଓଜନ ହ୍ରାସ କରିବାକୁ ପଡିବ ବୋଲି କହିଥିଲେ।

ଅନିଲ ଫିରୋଜିଆ ହେଉଛନ୍ତି ବିଜେପିର ସେହି ସାଂସଦ ଯାହାଙ୍କୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। ଗଡକରୀ କହିଥିଲେ ଯେ, ଅନିଲ ଗୋଟିଏ କିଲୋ କମ ହେଲେ ତାଙ୍କ ଅଞ୍ଚଳ ଏକ ହଜାର କୋଟି ଟଙ୍କା ପାଇବ। ଗଡକରୀଙ୍କ ଏହି ପରାମର୍ଶ ପରେ ଫିରୋଜିଆ ଏପର୍ଯ୍ୟନ୍ତ ୨୧କିଲୋ ଓଜନ ହ୍ରାସ କରିଛନ୍ତି, ଅର୍ଥାତ୍ ସେ ନିଜ ଅଞ୍ଚଳ ପାଇଁ ୨୧ହଜାର କୋଟି ଟଙ୍କା ନିଶ୍ଚିତ କରିଛନ୍ତି।