ପାରାଲିମ୍ପିକ୍ସ ଖେଳାଳିଙ୍କୁ କହିଲେ ପ୍ରଧାନମନ୍ତ୍ରୀ; ତୁମର ସଫଳତା ସହିତ ତୁମେ ଏକ ପରାଜୟବାଦୀ ମାନସିକତାକୁ ପରାସ୍ତ କରିଛ

ନୂଆଦିଲ୍ଲୀ: ବିଦେଶରେ ଭାରତର ଟେକ ରଖିଥିବା ପାରାଲିମ୍ପିକ୍ସ ଖେଳାଳିଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ମାଧ୍ୟରେ କଥା ହୋଇଥିବା ବେଳେ ଆଜି ସେମାନଙ୍କୁ ଭେଟି ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପାରାଲିମ୍ପିକ୍ସ ଖେଳାଳିମାନେ ଆଜି ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳି ଜଣକ ପରେ ଜଣେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ପଦକକୁ ହାତରେ ଧରି ଗର୍ବ ଅନୁଭବ କରୁଛି ବୋଲି କହିବା ସହ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ ବୋଲି ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ଖେଳାଳିମାନଙ୍କ କ୍ରୀଡା ସାମଗ୍ରୀ ନିଲାମ ହେବ ବୋଲି ପ୍ରଧାନମନ୍ତ୍ରୀ ହସ ହସ ମୁହଁରେ କହିଥିଲେ । କିଛି ଖେଳାଳି ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ବି ଆଣିଥିବା ଦେଖାଯାଇଥିଲା ।

www.indiatoday.in

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିବା ସହ ସବୁବେଳେ ସକରାତ୍ମକ ଭାବନା ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଏହାସହ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ତୁମ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ତୁମେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛ | ତୁମର ସଫଳତା ସହିତ ତୁମେ ଏକ ପରାଜୟବାଦୀ ମାନସିକତାକୁ ପରାସ୍ତ କରିଛ |ମୁଁ ତୁମମାନଙ୍କ ସହ ସର୍ବଦା ରହିଛି ।”

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଭାରତ ଇତିହାସରେ ପ୍ରଥମ ଥର ପାଇଁ ପରାଲିମ୍ପିକ୍ସରେ ୧୯ଟି ପଦକ ମିଳିଛି । ଏହି ୧୯ଟି ପଦକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ରହିଛି । ଆଜି ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ସମସ୍ତ ପଦକ ବିଜେତାମାନେ ଖୁସି ଅନୁଭବ କରିଛନ୍ତି ।

ସମ୍ବନ୍ଧିତ ଖବର