ବେଙ୍ଗାଲୁରୁ: ମୋ ଦାମୀ ଗାଡ଼ିକୁ କାହିଁକି ଧକ୍କା ଦେଲ। ମରିବାର ଅଛି ଯଦି ବସ ତଳେ ଚାପି ହୋଇ ମରିଯାଅ। ବାଇକ୍ ଆରୋହୀଙ୍କୁ ଏଭଳି କହିଲେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବୋହୂ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଭବାନୀ ରେବନ୍ନା ଜଣେ ବାଇକ୍ ଆରୋହୀଙ୍କୁ ରାଗୁଥିବା ଦେଖାଯାଇଛି।
ସୂଚନା ମୁତାବକ, ଜେଡିଏସ୍ ନେତା ଭବାନୀ ରେବନ୍ନାଙ୍କ କାର ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଦେଖି ରାଗରେ ବାହାରକୁ ଆସିଥିଲେ ଭବାନୀ। ଧକ୍କା ହେବା ପରେ କାରର କିଛି ଅଂଶ ନଷ୍ଟ ହୋଇଥିବା ଦେଖି ଭବାନୀ ବାଇକ୍ ଆରୋହୀଙ୍କୁ କହିଥିଲେ, "ମରିବାର ଇଚ୍ଛା ଯଦି ବସ ତଳେ ଚାପି ହୋଇ ମରିଯାଅ। ମୋ କାରକୁ କାହିଁକି ଧକ୍କା ଦେଲ। ମୋ କାରର ଦାମ୍ ୧.୫କୋଟି ଟଙ୍କା। ଏବେ କ୍ଷତିପୂରଣ କିଏ ଦେବ।" ଏହା ପରେ ଉପସ୍ଥିତ ଥିବା ଲୋକଙ୍କୁ ଭବାନୀ କହିଥିଲେ, "ମୋ ଦାମୀ କାରର ହୋଇଥିବା କ୍ଷତି କାହାକୁ ଦେଖାଯାଉନାହିଁ। ହେଲେ ବାଇକ୍ ଚାଳକ ତଳେ ପଡ଼ିଯିବାରୁ ସମସ୍ତେ ଚିନ୍ତିତ।"
ତେବେ ଏହି ଘଟଣା ପରେ ଭବାନୀଙ୍କ କାର୍ ଚାଳକ ପୁଲିସରେ ଅଭିଯୋଗ କରିବା ପରେ ବାଇକ୍ ଆରୋହୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।