ମୋ ଲକରରୁ କିଛି ମିଳିବ ନାହିଁ, ମୁଁ ସିବିଆଇକୁ ସ୍ବାଗତ କରୁଛି : ସିସୋଦିଆ

ନୂଆଦିଲ୍ଲୀ: ସିବିଆଇ ନୋଟିସ୍  ସମ୍ପର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସିବିଆଇ ପୁଣି ଥରେ ମୋ ଘରକୁ ଆସିବାକୁ ଯାଉଛି। ଆମକୁ ଏହି ସୂଚନା ଦିଆଯାଇଛି। ଗତଥର ଅଗଷ୍ଟ ୧୯ରେ ସିବିଆଇ ମୋ ବାସଭବନରେ ୧୪ ଘଣ୍ଟା ଚଢ଼ାଉ କରିଥିଲା, କିନ୍ତୁ ସେମାନେ କିଛି ପାଇ ନଥିଲେ । ଏଥର ସେ ମୋ ଲକରକୁ ଖୋଜିବାକୁ ଆସୁଛି ସିବିଆଇ | ହେଲେ ମୋ ଲକରରୁ କିଛି ମିଳିବ ନାହିଁ । ସିବିଆଇକୁ ମୁଁ ସ୍ୱାଗତ କରୁଛି, ମୋ ପରିବାର ଏହି ଅନୁସନ୍ଧାନରେ ସମ୍ପୂର୍ଣ୍ଣ ସହଯୋଗ କରିବ।

ଦିଲ୍ଲୀ ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ସିବିଆଇର ଏଫଆଇଆର ସମ୍ପୂର୍ଣ୍ଣ ନକଲି। ଶୋଇବା ଘରଠାରୁ ଆରମ୍ଭ କରି ପିଲା, ପରିବାର, ମୋର ପୋଷାକ ପର୍ଯ୍ୟନ୍ତ ସବୁ ସ୍ଥାନ ସିବିଆଇ ଖୋଜିଲା କିନ୍ତୁ କୌଣସି ଜାଗାରେ କିଛି ମିଳିଲା ନାହିଁ । ୧୪ ଘଣ୍ଟାର ଚଢ଼ାଉ ପରେ ମଧ୍ୟ ଗୋଟିଏ ପଇସାର ଅସାଧୁତାର କୌଣସି ପ୍ରମାଣ ପାଇଲା ନାହିଁ ସିବିଆଇ । ମୋର ସଚିବାଳୟ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଥିଲା । କିନ୍ତୁ କିଛି ନ ମିଳିବାରୁ ସରକାରୀ ଫାଇଲ, କମ୍ପ୍ୟୁଟର, ମୋବାଇଲ ଛଡ଼ାଇ ନିଆଯାଇଥିଲା।

ସିସୋଦିଆ ଆହୁରି ମଧ୍ୟ କହିଥିଲେ ଯେ, ଗୃହକୁ ମୁଁ ଚଢ଼ାଉର କାହାଣୀ କହିବାକୁ ଆସିନାହିଁ । ହଜାର ହଜାର ରେଡ୍ କର, କିଛି ପାଇବ ନାହିଁ । ଦିଲ୍ଲୀର ଶିକ୍ଷାବ୍ୟବସ୍ଥାକୁ ଆଗକୁ ବଢାଇବା ପାଇଁ ବହୁତ କାର୍ଯ୍ୟ କରିଛି, ଯଦି ଏହା ଅସାଧୁ ତେବେ ଦଣ୍ଡ ଦିଆଯାଉ, କିଛି ଅସୁବିଧା ନାହିଁ । ଗତ ୭୫ ବର୍ଷ ଧରି ଏମିତି ଘଟୁଛି ଯେ ଯଦି କେହି ଭଲ କାମ କରୁଛନ୍ତି ତେବେ ସିବିଆଇ ଆଣି ତାଙ୍କୁ ଡରାନ୍ତୁ।

ପୂର୍ବରୁ ଯେଉଁଠାରେ ତମ୍ବୁ ଏବଂ ଟିଣ ସେଡ୍ ଥିବା ସ୍କୁଲଗୁଡ଼ିକ ରହିଥିଲା ​​ଆମେ ସେଠାରେ ୭୦୦ ନୂଆ ବିଦ୍ୟାଳୟ କୋଠା ନିର୍ମାଣ କରିଛୁ । ଆଜି ଲୋକମାନେ ଏହି ସ୍କୁଲକୁ ସୁଇମିଂ ପୁଲ ଥିବା ସ୍କୁଲ ବୋଲି କହୁଛନ୍ତି । ୧୯ ହଜାର ନୂତନ ଶିକ୍ଷକ ନିଯୁକ୍ତି ପାଇଛନ୍ତି। କିନ୍ତୁ ଏହାର ଜବାବରେ ମୋଦୀଜୀ ଏକ ନକଲି ଏଫଆଇଆର ଲେଖୁଛନ୍ତି । ଆଜି ଯଦି ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ଏବଂ ମୁଁ ଅନ୍ୟ ଦଳର ଶିକ୍ଷାମନ୍ତ୍ରୀ ହୋଇଥାନ୍ତି ତେବେ ଅରବିନ୍ଦ କେଜ୍ରିୱାଲ ଏପରି କେବେ କରି ନଥାନ୍ତେ, ସେ ମୋତେ ଆଲିଙ୍ଗନ କରିଥାନ୍ତେ । ଯିଏ ଭଲ କାମ କରୁଛି ତାଙ୍କୁ ଅଟକାନ୍ତୁ, ତାଙ୍କ ସରକାରକୁ ଭାଙ୍ଗି ଦିଅନ୍ତୁ । ଏପରି ଅସୁରକ୍ଷିତ ଭାବନା ଥିବା ବ୍ୟକ୍ତିଙ୍କୁ ପୂର୍ବରୁ କେବେ ଦେଖି ନଥିଲି ।

ସମ୍ବନ୍ଧିତ ଖବର