ବିଜୟୱାଡା: କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରିଥିବା ବେଳେ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଏବେ ସରକାର ଘରେ ରହି ଡାକ୍ତର ଦେଇଥିବା ଔଷଧ ନେଇ ନିଜର ଯତ୍ନ ନେବାକୁ କହୁଛନ୍ତି | କିଛି ଲୋକ ଘରେ ରହି କରୋନା ମୁକ୍ତ ହେବା ସମ୍ଭବ ନୁହେଁ ବୋଲି ଭାବୁଥିବା ବେଳେ ବିଜୟୱାଡାରେ ଜଣେ ଆଇପିଏସ ଦମ୍ପତି ଲୋକଙ୍କ ଏହି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଛନ୍ତି | ଯୁବ ଆଇପିଏସ୍ ଦମ୍ପତି ନିଜକୁ ଘରେ ସୀମିତ ରଖି ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ଔଷଧ ଖାଇ କରୋନା ମୁକ୍ତ ହୋଇଥିବା ଜଣା ପଡିଛି | ବିଜୟୱାଡାର ଡିସିପି ବିକାଶ ପାଟିଲ ଏବଂ ତାଙ୍କ ପତ୍ନୀ ତଥା ଦିଶା ସ୍ପେଶାଲ ଅଫିସର ଏମ ଦୀପିକା କୋଭିଡ-୧୯ ପାଇଁ ନକାରାତ୍ମକ ପରୀକ୍ଷା କରିବା ପରେ ଡିଜିପି ଡି ଗୌତମ ସାୱଙ୍ଗଙ୍କୁ ଭେଟିଥିଲେ | ଘରେ ରହି କରୋନାକୁ ହରାଇବାରେ ସଫଳ ହୋଇଥିବାରୁ ଡିଜିପି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିବା ଜଣା ପଡିଛି।

Advertisment

ସୂଚନା ମୁତାବକ, ଡିଜିପି ସେମାନଙ୍କ ସହ କଥାବାର୍ତ୍ତା ହେବା ସହ କରୋନାଭାଇରସକୁ ପରାସ୍ତ କରିବାକୁ ସେମାନେ ଅନୁସରଣ କରିଥିବା ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ | ଡିସିପି ବିକ୍ରାନ୍ତ ପାଟିଲ କହିଛନ୍ତି ଯେ, ସେ ପ୍ରଥମେ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ପରେ ତାଙ୍କ ପତ୍ନୀ ଦୀପିକା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। ଯେତେବେଳେ ଦୀପିକା ଏକ ସପ୍ତାହ ପୂର୍ବରୁ କୋଭିଡ-୧୯ର ଲକ୍ଷଣ ଅନୁଭବ କରିବା ଆରମ୍ଭ କଲେ, ଆମେ ପରୀକ୍ଷା କରିବାକୁ ସ୍ଥିର କଲୁ। ରିପୋର୍ଟ ପଜିଟିଭ ଆସିଥିଲା ଏବଂ ଆମେ ଘରେ ସଙ୍ଗରୋଧରେ ରହି କାମ କରିଥିଲୁ। ଏହି ସମୟରେ ଆମେ ଡାକ୍ତର ଦେଇଥିବା ଔଷଧ ଖାଇବା ସହ ସଂକ୍ରମଣକୁ କମ କରିବା ପାଇଁ ଡାକ୍ତର ଦେଇଥିବା ନିର୍ଦେଶ ଅନୁସରଣ କରିଥିଲୁ | ଏଭଳି କରିବାର କିଛି ଦିନ ପରେ ଏବେ ଆମ ରିପୋର୍ଟ ନେଗେଟିଭ ଆସିଛି |