ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ: ବିଷାକ୍ତ ଧୂଆଁକୁ ସ୍ୱଚ୍ଛ ପବନରେ ପରିଣତ କରିବ ସ୍ୱତନ୍ତ୍ର ଡିଭାଇସ୍

ମିରଟ: ସାଧରଣତଃ ଘରର ରୋଷେଇ ଘରୁ ବାହାରୁଥିବା ଧୂଆଁରୁ ଆଖି ଜଳିଥାଏ । ତେବେ ଧୂଆଁକୁ ଘରୁ ବାହାର କରୁଥିବା ଚିମନି ମେସିନ୍ ଅଧିକ ମହଙ୍ଗା ହୋଇଥିବାରୁ ଅଧିକ ଲୋକ ଏହାକୁ ରୋଷେଇ ଘରେ ଲଗାଇପାରିନଥାନ୍ତି । ଆଉ ଏଥିପାଇଁ ବେଳେବେଳେ ପୂରା ଘର ଧୂଆଁମୟ ହୋଇଯାଏ । ଏହାକୁ ଦୂର କରିବା ପାଇଁ ଯୁବ ଇଞ୍ଜିନିୟର ଆସିଫ ଚୌହାନ ଇଲେକ୍ଟ୍ରୋ ଷ୍ଟାଟିକ୍ ଏୟାର ପ୍ୟୁରିଫାୟର ଡିଜାଇନ୍ କରିଛନ୍ତି । ଏହି ମେସିନ୍ ରୋଷେଇ ଘରୁ ବାହାରୁଥିବା ଧୂଆଁକୁ ଶୋଷଣ କରି ଏହାକୁ ତାଜା ପବନରେ ପରିଣତ କରେ ।

ଏହି ସ୍ୱତନ୍ତ୍ର ମେସିନରେ ତିନି ପ୍ରକାରର ରେଜିଷ୍ଟେନ୍ସ, କାପାସିଟର ଏବଂ ଷ୍ଟାଟଅପ୍ ଟ୍ରାନ୍ସଫର୍ମରର ବ୍ୟବହାର କରାଯାଇଛି, ଯାହା ଧୂଆଁରେ ଥିବା କିଛି କଣିକାକୁ ଅଧିକ ତାପମାତ୍ରାରେ ଜଳାଇଦିଏ । ଯେଉଁ ଧୂଆଁ ପାଇଁ ଆପଣଙ୍କ ଆଖି ପୋଡିଥାଏ । ଏହି ଧୂଆଁ ପ୍ୟୁରିଫାୟାର ଭିତରକୁ ଯିବା ପରେ ତାଜା ସ୍ୱଚ୍ଛ ପବନରେ ପରିଣତ ହୋଇଯାଏ । ତେବେ ଆସିଫଙ୍କ ଏହି ମେସିନ୍ କେବଳ ଘରୋଇ ବ୍ୟବହାର ପାଇଁ ହିଁ ପ୍ରଯୁଜ୍ୟ। ଆଉ ଏହାର ଦାମ୍ ପ୍ରାୟ ୪ ହଜାର ଟଙ୍କା ।

ତେବେ ଆସିଫଙ୍କ ଏହି ଡିଭାଇସକୁ ଅଧିକ ଉନ୍ନତଶୀଳ କରାଯାଇ ଏହାକୁ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସେ ଦାବି କରିଛନ୍ତି । ଆଉ ଏପରି ହୋଇପାରିଲେ, ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା କଳକାରଖାନାରୁ ବାହାରୁଥିବା ଦୂଷିତ ବାୟୁକୁ ତାଜା ପବନରେ ପରିଣତ କରାଯାଇପାରିବ ।

ମିରଟ ନିବାସୀ ଆସିଫ୍ ମେକାନିକାଲ ଇଞ୍ଜିନିୟରିଂରେ ଏମଟେକ୍ କରିବା ପରେ ବିଟେକ୍ ଛାତ୍ରମାନଙ୍କୁ ଏକ ଘରୋଇ ଅନୁଷ୍ଠାନରେ ୫ ବର୍ଷ ଶିକ୍ଷା ଦେଉଥିଲେ। ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ଏକ ଘରୋଇ କମ୍ପାନିରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହାପରେ ସେ ଗତ କିଛି ବର୍ଷ ଧରି ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ । ଆଉ ଏବେ ତାଙ୍କର ଏହି ନୂଆ ଉଦ୍ଭାବନ ପାଇଁ ଚର୍ଚ୍ଚାରେ ରହିଛନ୍ତି ଆସିଫ୍ ।

ସମ୍ବନ୍ଧିତ ଖବର