‘ଆତ୍ମହତ୍ୟା’ ଭିଡିଓରେ ଡିଜିପି ଓ ୩ ପୁଲିସ କର୍ମୀଙ୍କୁ ଦାୟୀ କଲେ ଯୁବତୀ

ଆଣ୍ଡାମାନ : ଜୁଲାଇ ୩୦ରେ ଆତ୍ମହତ୍ୟା କରିଥିବା ଆଣ୍ଡାମାନ ଏବଂ ନିକୋବରର ଜଣେ ଯୁବତୀ (୨୫)ଙ୍କ ମୃତ୍ୟୁ ପୂର୍ବର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଆତ୍ମହତ୍ୟାର କାରଣ ପାଇଁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି), ତିନିଜଣ ସବ-ଇନ୍ସପେକ୍ଟର ଏବଂ ଜଣେ ସାମ୍ବାଦିକଙ୍କୁ ଦାୟୀ କରିଛନ୍ତି। ସେମାନେ ତାଙ୍କୁ ଅପରାଧିକ ମାମଲାରେ ଫସାଇଥିବା ଏବଂ ତାଙ୍କୁ ହଇରାଣ କରିଥିବା ଯୁବତୀ ଜଣକ ଭିଡିଓରେ ଅଭିଯୋଗ କରିଛନ୍ତି। ଦକ୍ଷିଣ ଆଣ୍ଡାମାନ ଜିଲ୍ଲାର ବାମ୍ବୋଫ୍ଲାଟର ବାସିନ୍ଦା ଦୀପିକା କିସେନ ଅଭିଯୋଗ କରିଛନ୍ତି ଯେ ଡିଜିପି ସତ୍ୟେନ୍ଦ୍ର ଜୈନ, ତିନିଜଣ ସବ-ଇନ୍ସପେକ୍ଟର ମାସୁମା, ସତୀଭର ଓ ରାମ କୃଷ୍ଣଙ୍କ ସମେତ ସାମ୍ବାଦିକ ରୂପା ଲାଲ ତାଙ୍କ ଜୀବନକୁ ଦୁର୍ବିଷହ କରିଦେଇଥିଲେ । ଉକ୍ତ ଭିଡିଓରେ ଯୁବତୀ ଜଣକ କହିଛନ୍ତି ଯେ,’ମୁଁ ମାତ୍ର ୨୫ ବର୍ଷର, ଏବଂ ସବୁ ଜିନିଷରେ ଥକି ଯାଇଛି। ମୁଁ ମୋର ଜୀବନ ଶେଷ କରୁଛି କିନ୍ତୁ ମୁଁ ଚାହେ ନାହିଁ ଯେ କୌଣସି ପୁଲିସ କର୍ମଚାରୀ ମୋତେ ସ୍ପର୍ଶ କରନ୍ତୁ। ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଆଜି ମୁଁ ମରୁଛି, ଯେଉଁମାନେ ଏଥିପାଇଁ ଦାୟୀ ମୁଁ ସେମାନଙ୍କ ନାମ ଜଣାଉଛି । ମୋତେ ମୋ ପରିବାରକୁ ବଞ୍ଚାଇବାକୁ ପଡ଼ିବ ଏବଂ ଏଥିପାଇଁ ମୁଁ ମୋର ଜୀବନ ନେଉଛି ।’

ଯୁବତୀଙ୍କ ଆତ୍ମହତ୍ୟା ମାମଲାରେ ଏଫ୍ଆଇଆର୍ ଅଗଷ୍ଟ ୩ରେ ଦାଖଲ କରାଯାଇଥିଲା। ପୋଲିସର ସୂଚନାନୁସାରେ, ଦୀପିକା ସରକାରୀ ଚାକିରୀକୁ ସୁରକ୍ଷିତ ରଖିବା ପାଇଁ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ। ଚଳିତ ବର୍ଷ ଏପ୍ରିଲ୨୭ରେ ତାଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଏପ୍ରିଲ ୨୮ରେ ଗିରଫ କରାଯାଇଥିଲା ଓ ପରେ ଜାମିନ ପ୍ରଦାନ କରାଯାଇଥିଲା। ପୁଲିସ କହିଛି ଯେ ଦୀପିକାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର