ବୟସ କେବଳ ୧୫: ପାସ୍ କରିଛନ୍ତି ଗ୍ରାଜୁଏସନ୍; ୪ ବର୍ଷ ଭିତରେ ଗ୍ରହଣ କଲେଣି ୫ଟି ଡିଗ୍ରୀ

ନୂଆଦିଲ୍ଲୀ: ବୟସ କେବଳ ୧୫ ବର୍ଷ, ହେଲେ କରିସାରିଲେଣି ଗ୍ରାଜୁଏସନ୍ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ କଥାଟି କିନ୍ତୁ ସମ୍ପୂର୍ଣ୍ଣ ସତ । ମାତ୍ର ୧୫ ବର୍ଷ ବୟସରେ ଜଣେ ଛାତ୍ରଙ୍କ ପାଖରେ ରହିଛି ୫ଟି ଡିଗ୍ରୀ । ଯାହାକୁ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଡେଲି ମେଲର ଏକ ରିପୋର୍ଟ ମୁତାବକ, ନିଜର ମେଧାବୀ କ୍ଷମତା କାରଣରୁ ଏବେ ବେଶ ଲୋକପ୍ରିୟ ହୋଇଛନ୍ତି ଜଣେ ୧୫ ବର୍ଷୀୟ ବାଳକ । ଯାହାଙ୍କ ନାଁ ହେଉଛି ଜ୍ୟାକ୍ ରିକୋ । ସେ ମାତ୍ର ୪ ବର୍ଷ ଭିତରେ ୫ଟି ଡିଗ୍ରୀ ହାସଲ କରିବା ସହିତ ୧୫ ବର୍ଷ ବୟସରେ ଗ୍ରାଜୁଏସନ୍ ପାସ୍ କରିଛନ୍ତି ।

ତେବେ ଜ୍ୟାକ୍ ରିକୋ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବାବେଳେ, ପ୍ରଥମେ ପ୍ରଥମେ ତାଙ୍କ ମାଙ୍କଠୁ ଶିକ୍ଷା ଗ୍ରହଣ କରିଥିଲେ । ହେଲେ ସେ ଏତେ ମେଧାବୀ ଥିଲେ ଯେ, ମାତ୍ର କିଛି ବର୍ଷ ଭିତରେ ତାଙ୍କ ମା’ ତାଙ୍କୁ ଆଉ କେଉଁ ବିଷୟରେ ଶିକ୍ଷା ଦେବେ ତାହା ଜାଣିପାରିନଥିଲେ । ଏହାପରେ ସେ ମାତ୍ର ୧୧ ବର୍ଷ ବୟସରେ ସେଠାକାର ଫ୍ଲର୍ଟନ କଲେଜରେ ପ୍ଲେସମେଣ୍ଟ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ସେ ଏପରି ରାଙ୍କ୍ ହାସଲ କଲେ ଯେ, ତାଙ୍କୁ କଲେଜ ଲେଭଲରେ ଆଡମିସନ କରିଦିଆଗଲା । ବାସ୍ ଏହାରି ଭିତରେ ମାତ୍ର ୨ ବର୍ଷରେ ସେ ୪ଟି ଆସୋସିଏଟ୍ ଡିଗ୍ରୀ ହାସଲ କରିବା ସହିତ ଇତିହାସ, ସାମାଜିକ ବ୍ୟବହାର, ହ୍ୟୁମାନ୍ ଏକ୍ସପ୍ରେସନ୍ ଓ ସାମାଜିକ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଏବେ ସେ କାଲିଫର୍ଣ୍ଣିଆ କଲେଜରୁ ଗ୍ରାଜୁଏସନ୍ ପାସ୍ କରିବା ସହିତ ୫ମ ଡିଗ୍ରୀର ଅଧିକାରୀ ହୋଇଛନ୍ତି ।

ତେବେ ମାତ୍ର ୧୪ ବର୍ଷ ବୟସରେ ସେ ୟୁନିଭର୍ସିଟି ଅଫ୍ ନେବାଦାରେ କ୍ଲାସ୍ କରିବା ଆରମ୍ଭ କରିଥିଲେ । ଏହାପରେ ଏବେ ଡିସେମ୍ବର ୧୪ ତାରିଖରେ ତାଙ୍କୁ ଇତିହାସରେ ବ୍ୟାଚଲର୍ ଡିଗ୍ରୀ ମିଳିଛି । ତେବେ ଜ୍ୟାକଙ୍କୁ ଯେତେବେଳେ ତାଙ୍କ ଭବିଷ୍ୟତ ବିଷୟରେ ପଚରା ଯାଇଥିଲା , ସେ କହିଥିଲେ ଯେ, ମୁଁ ଏଭଳି ଚାକିରି କରିବାକୁ ଚାହୁଁଛି, ଯେଉଁଥିରୁ ଖୁବ୍ ପଇସା ରୋଜଗାର କରିପାରିବି । ଏହି ଟଙ୍କା ରୋଜଗାର କରିବା ପରେ ମୁଁ ମୋ ଭଉଣୀର ଭଲ ଭାବେ ଦେଖାଶୁଣା କରିପାରିବି ବୋଲି ଜ୍ୟାକ୍ କହିଛନ୍ତି ।

ସମ୍ବନ୍ଧିତ ଖବର